ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାରରେ ଯୁବକ ମୃତ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ବାରହା ମାରିବା ଉଦ୍ଦେଶ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ପାମଗେଟା ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କିଛି ଲୋକେ ବାରହା ଶିକାର କରିବା ଉଦ୍ଦେଶ୍ୟରେ ବିଛାଇ ଥିବା ତାରରେ ବିଦ୍ୟୁତ ସଂଯୋଗ କରିଥିଲେ । ପଡ଼ିଆ ଅଗ୍ନିଶ୍ରମ ବିଭାଗ ପଛ ପଟେ ଥିବା ଜଙ୍ଗଲକୁ ପାମଗେଟା ଗ୍ରାମର ଆଠ ଜଣ ଯୁବକ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ । ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତ ଯୁବକ ଜଣଙ୍କ ହେଉଛନ୍ତି କସା ମୂଷାକି । ମୃତକଙ୍କ ପରିବାର ପକ୍ଷରୁ ଏନେଇ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଏକ ମାମାଲା ରୁଜ୍ଜୁ କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।