ଭୁବନେଶ୍ୱର: ୨୩ବର୍ଷ ପରେ ଶତାଦ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଉତ୍ତର-ପଶ୍ଚିମ ଦିଗବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁ ଜୁଲାଇ ମାସ ୧୨ରୁ ୩୦ ତାରିଖ ଭିତରେ ଖାଲି ଆଖିରେ ଦେଖି ହୁଏ। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳବାସୀ ଏପରି ଏକ ବିରଳ ସୁଯୋଗ ହାତଛଡ଼ା ନ କରିବାକୁ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
ଏହା ଚଳିତ ମାସ ୧୨ ତାରିଖରେ ସନ୍ଧ୍ୟା ସମୟରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗବଳୟରେ ୨୦ଡିଗ୍ରି ଉପରେ ଦେଖାଯିବ। ସବୁ ଦିନ ଧୀରେଧୀରେ ଏହା ଉପର ଆଡକୁ ଗତି କରି ମାସ ଶେଷର ଦିଗବଳୟର ପ୍ରାୟ ୪୦ଡିଗ୍ରି ଉପରେ ପହଞ୍ଚିବ। ସେହି ସମୟରେ ଏହା ସପ୍ତର୍ଷିମଣ୍ଡଳର ନିକଟରେ ରହିବ ଓ ପ୍ରାୟ ଏକଘଣ୍ଟା ଧରି ଦେଖାଯିବ। ଧୂମକେତୁ ସୂର୍ୟ୍ୟଠାରୁ ଦୂରେଇ ଯାଉଥିବା ଫଳରେ ୧୦ ତାରିଖ ପରଠାରୁ ଏହାର ଉଜ୍ୱଳତା କମିକମି ଜୁଲାଇ ୩୦ପରେ ଏହାକୁ ଆଉ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ୟ୍ୟଠାରୁ ୩୧.୨ କୋଟି କିଲୋମିଟର ଦୂରରେ ଥିବା ‘ସି/୨୦୨୦ ଏଫ୍-୩’ ଧୁମକେତୁ ‘ନ୍ୟୁଓଓ୍ଵାଜ’ ନାମକ ଦୁରବୀକ୍ଷଣ ଦ୍ୱାରା ଆବିଷ୍କୃତ ହୋଇଥିଲା। ସେତେବେଳେ ଏହା କେବଳ ଅତି ବଡ଼ ଦୂରବୀକ୍ଷଣରେ ଦୃଶ୍ୟମାନ ହେଉଥିଲା। ହଠାତ ଜୁଲାଇ ମାସ ଆରମ୍ଭରେ ଧୂମକେତୁଟି ଖାଲି ଆଖିରେ ଦେଖାଯାଇଥିଲା।
ଗତ ୧୯୯୭ ମସିହାରେ ଶେଷ ଥର ପାଇଁ ‘ହେଲ୍ ବଫ୍’ ନାମକ ଧୂମକେତୁ ଖାଲି ଆଖିକୁ ଦେଖା ଯାଇଥିଲା। ସେତେବେଳେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ତରଫରୁ ନିଆଯାଇଥିବା ଏହାର ଫଟୋ ବହୁତ ଲୋକପ୍ରିୟ ହୋଇଥିଲା।