ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ରେ ସମ୍ମାନିତ ନୃତ୍ୟଗୁରୁ କ୍ରିଷ୍ଣା ଡିକେ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାପାଇଁ ଅହରହ ଚେଷ୍ଟା କରିଆସୁଛି ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର । ଆଞ୍ଚଳିକ କଳାର ସ୍ଵତନ୍ତ୍ର ବିକାଶ କରିବା ପାଇଁ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ସଂଘର୍ଷ କରି ଚାଲିଛି। ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ସାହୁ ଅନେକ କଳାତ୍ମକ ଚଳଚ୍ଚିତ୍ର ଏବଂ ସଚେତନତା ମୂଳକ ନୃତ୍ୟ ଶିକ୍ଷା ଦେଇ ଅନେକ ମଞ୍ଚରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବହୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପୁରସ୍କୃତ ହୋଇ ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି। ଇନ୍ଦୋରରେ ଆତ୍ମ ନିର୍ଭର ଭାରତ ଦ୍ଵାରା ଆୟୋଜିତ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ ଦ୍ଵାରା କ୍ରିଷ୍ଣା ଡ଼ିକେ ସମ୍ମାନିତ ହୋଇଥିଲେ। ସମଗ୍ର ଭାରତର ପ୍ରାୟ ୧୦୦ଜଣ ବିଶେଷ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ ହୋଇଥିବାବେଳେ ଓଡ଼ିଶା କ୍ରିଷ୍ଣା ଡିକେ ଏକମାତ୍ର ବ୍ୟକ୍ତି ଭାବେ ମନୋନୀତ ହୋଇଥିଲେ। ଏହି କାର୍ୟ୍ୟକ୍ରମର ଅତିଥି ଭାବେ ଲୋକସଭା ସଦସ୍ୟ ଶ୍ରୀ ଶଙ୍କର ଲାଲ୍ୱାନିଙ୍କ ସହିତ ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜର କଳା ଏବଂ ସାଧନା ବଳରେ ଆଜି ଗଞ୍ଜାମ ଜିଲ୍ଲାକୁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ କ୍ରିଷ୍ଣା ଡ଼ିକେଙ୍କ ଏହି ସାର୍ଥକ ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି। ନୃତ୍ୟ ଏବଂ ଚଳଚ୍ଚିତ୍ର ଜଗତରେ ସେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ ପାଇଁ ଅଞ୍ଚଳବାସୀ ବେଶ ଗର୍ବିତ ହେବା ସହ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି । ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ଆଉ ପାଦେ ଆଗକୁ ନେବା ପାଇଁ ନିଜସ୍ଵ ଭିତ୍ତି ଭୂମି ଆବଶ୍ୟକତା ରହିଛି ବୋଲି କ୍ରିଷ୍ଣା ଡିକେ ସରକାର ତଥା ପ୍ରଶାସନଙ୍କ ନିକଟରେରେ ନିବେଦନ କରିଛନ୍ତି। ଏହି ସଫଳତା ପାଇଁ ଅଞ୍ଚଳବାସୀ ମଧ୍ୟ ବେଶ୍ ସମ୍ମାନ ଓ ଶୁଭେଚ୍ଛା ଜଣାଇଛନ୍ତି।