(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗତକାଲି କଟକ ସ୍ଥିତ କୋଭିଡ ହସ୍ପିଟାଲରେ କଳାହାଣ୍ଡି ଜିଲ୍ଲାର ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଲଗାଇ ସମୁଦାୟ ୧୩ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଭଲ ହୋଇଛନ୍ତି । ଏହା ପୂର୍ବରୁ ଭୁବନେଶ୍ୱରରୁ ୭ଜଣ, ଭଦ୍ରକରୁ ୨ଜଣ, କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ବ୍ୟକ୍ତି ଭଲ ହୋଇ ଡିସଚାର୍ଯ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ବର୍ତ୍ତର୍ମାନ ପର୍ଯ୍ୟନ୍ତ ରାଜ୍ୟରେ ୫୪ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଏବେବି ୪୦ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ଜାରୀ ରହିଥିବା ଜଣାପଡିଛି ।
ସେହିଭଳି ଚିକିତ୍ସିତ କୋରାନା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ସର୍ବାଧିକ କୋରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ମହିଳା ଓ ୨ଟି ଶିଶୁ ମଧ୍ୟ ଅଛନ୍ତି । ସେହିଭଳି ରାଜ୍ୟର ୨୧ନମ୍ବର କୋରୋନା ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାର ଜଣେ ୨୯ବର୍ଷିୟ ଯୁବକ । ସେ ଦୁଇ ସପ୍ତାହ ପୂର୍ବରୁ ବିଦେଶରୁ ଫେରିଥିବା ବେଳେ ତାଙ୍କ ଦେହରେ କୌଣସି କୋରୋନା ଲକ୍ଷଣ ଦେଖାଯାଉ ନ ଥିବା ବେଳେ ସେ ନିଜେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । କିଛି ଦିନ ପରେ ତାଙ୍କର ପଜେଟିଭ ରିପୋର୍ଟ ବାହାରିଥିଲା ।