ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଡମ୍ବରରେ ପାଳିତ

ମହା ଆଡମ୍ବରରେ ପାଳନ ହେଲା ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ପଞ୍ଚାୟତ ଅନ୍ତର୍ଗତ, ଚାନ୍ଦପୁର ଗାଁରେ ମା’ ପାର୍ବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମ୍ୟ ସଭାପତି ଯଦୁମଣି ସାହୁଙ୍କ ନେତୃତ୍ୱରେ ରେଙ୍ଗାଳି ବାମ ପାର୍ଶ୍ଵ କେନାଲରୁ ଏକ ବିଶାଳ କଳସ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା । ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ମା’ ଯୋଗମାୟା ପାର୍ବତୀଙ୍କ ମନ୍ଦିର ପ୍ରତିଷ୍ଠା ବିଧି ନୀତିକ୍ରାନ୍ତିରେ ପାଳନ କରାଯାଇଛି । ଆଧ୍ୟାତ୍ମିକ ପରିସର ଭିତରେ ହୋମ ଯଜ୍ଞ, ହରିବୋଲ, ହୁଳହୁଳି ସାଙ୍ଗକୁ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ।

ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିରରେ ବିଗ୍ରହ ସ୍ଥାପନ ସହ ମା ‘ଯୋଗମାୟା ପାର୍ବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।