(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ସରକାରଙ୍କ କୋରୋନା ମୁକାବିଲା ଚିନ୍ତା । ଭୁବନେଶ୍ୱର ହଟସ୍ପଟ ହୋଇଥିବାରୁ ବ୍ୟାପକ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଗାମୀ ୭ଦିନରେ ୫ହଜାର ସାମ୍ପଲ ଟେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହାଦ୍ୱାରା ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ଏଯାବତ ଭୁବନେଶ୍ୱରରେ ୧୯୮୫ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ଓଡିଶାରୁ ୭,୫୭୭ଟି ନମୂନା ପରୀକ୍ଷା କରାଯାଇଛି । ସେଥିରୁ ୬୦ଟି ପଜେଟିଭ ଚିହ୍ନଟ ହୋଇଛି । କେବଳ ରାଜଧାନୀରୁ ୪୬ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ଦେଶରେ ୧୭୦ଟି ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ହଟସ୍ପଟ ବୋଲି ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ଥୁୂତ କରାଯାଇଛି । ରାଜଧାନୀରେ ଅଧିକ ନମୁନା ପରୀକ୍ଷା କରାଯିବାର ଲକ୍ଷ ରଖାଯାଇଛି । ରାଜଧାନୀକୁ କୋରୋନା ସଂକ୍ରମଣରୁ ରୋକିବା ଲାଗି ଆଗାମୀ ୭ଦିନରେ ୫ହଜାର ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ସାମ୍ପଲ ସଂଗ୍ରହ କରାଯିବ । ସାମ୍ପଲ ଟେଷ୍ଟ ପାଇଁ ଆବଶ୍ୟକ ପରୀକ୍ଷଣ ଲ୍ୟାବର ବୃଦ୍ଧି କରାଯିବ । ସାମ୍ପଲ ସଂଗ୍ରହ ପାଇଁ ମୋବାଇଲ ଭ୍ୟାନ ବୁଲି ମଧ୍ୟ ସାମ୍ପଲ ସଂଗ୍ରହ କରିବ । ତେବେ ୪ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବାର ଲକ୍ଷ୍ୟ ରଖାଯାଇଛି । ସ୍ୱାସ୍ଥ୍ୟକର୍ମୀ, ପୁଲିସ ଅଧିକାରୀ ଓ ପରିମଳ କର୍ମଚାରୀଙ୍କ ସାମ୍ପଲ ଟେଷ୍ଟ କରାଯିବ । ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗଥିବା ଲୋକଙ୍କର ଟେଷ୍ଟ ହେବ । ଏହାସହ ଟ୍ରାଭେଲ ହିଷ୍ଟ୍ରିି ଥିବା ଲୋକ ଓ ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବ ବୋଲି କହିଛନ୍ତି ।