ଭୁବନେଶ୍ବର:ରବିବାର ଦିନତମାମ ଦୋକାନଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭୁବନେଶ୍ବରର ଅଧିକାଂଶ ଅଳଙ୍କାର ସୋ’ରୁମ୍ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଭୁବନେଶ୍ବର ସମେତ ସାରା ରାଜ୍ୟରେ ରବିବାର ଦିନ ବିପୁଳ ପରିମାଣର ସୁନା ବିକ୍ରି ହୋଇଛି। ଗତବର୍ଷ ତୁଳନାରେ ଦାମ୍ ଅଧିକ ଥିବା ସତ୍ତ୍ବେ ଅଳଙ୍କାର ପ୍ରତି ଆଗ୍ରହ କମିନାହିଁ। ଆଜି ଅକ୍ଷୟ ତୃତୀୟାରେ ଲୋକମାନେ ଅଢ଼େଇ କ୍ବିଣ୍ଟାଲ୍ରୁ ଅଧିକ ସୁନା କିଣିଥିବା ଅନୁମାନ କରାଯାଉଛି। ଗତବର୍ଷ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୭,୧୦୦ ଟଙ୍କା ଥିଲା। ଚଳିତ ବର୍ଷ ଦାମ୍ ୫୫ ହଜାର ୭୦୦ ଟଙ୍କା ରହିଛି। ବର୍ଷକ ଭିତରେ ଦାମ୍ରେ ୮ ହଜାର ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିଲେ ମଧ୍ୟ ବିବାହ ଋତୁ ପାଖେଇ ଆସୁଥିବାରୁ ଲୋକମାନେ ରବିବାର ଦିନ ବହୁ ସୁନା କିଣିଛନ୍ତି। ବିଶେଷ କରି ସୁନା ମୁଦି, ଚେନ୍, କାନଫୁଲ, ଚୂଡ଼ି, ମଙ୍ଗଳସୂତ୍ର , ବ୍ରେସ୍ଲେଟ୍ ଆଦି ଅଧିକ ମାତ୍ରାରେ ବିକ୍ରି ହୋଇଛି। ରବିବାର ଦିନ ରୁପାର କେଜି ପିଛା ଦାମ୍ ୭୭ ହଜାର ଟଙ୍କା ଏବଂ ୨୪ କ୍ୟାରେଟ ସୁନା ଦାମ୍ ୬୧,୪୧୦ ଟଙ୍କା ରହିଛି।