ଭୀମଭୋଇ ମେଡିକାଲ ଛାତ୍ରିଙ୍କ ଘରୁ ଚୋରୀ

(ବଲାଙ୍ଗୀର) ; ବହୁ ଚର୍ଚ୍ଚିତ ଭିମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ । ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ମୃତ ନିରୁପମାଙ୍କ ଘରେ ଗୋଟେ ପରେ ଗୋଟେ ଦଃୁଖ ମାଡି ଆସୁଛି । ନିରୁପମାଙ୍କ ସନ୍ଦେହ ଜନକ ମୃତ୍ୟୁରୁ ପରଦା ନ ଉଠୁଣୁ ଘରେ କଳା କନା ବୁଲାଇଲେ ଚୋର । ଘରେ କେହି ନଥିବାର ସୁଯୋଗ ନେଇ ଚୋର ନଗଦ ଟଙ୍କା ସହିତ ସୁନା ଗହଣା ଚୋରି କରିଥିବା ଜଣା ପଡିଛି । ସୂଚନାଅନୁଯାୟୀ ଅକ୍ଟୋବର ୬ ତାରିଖ ଦିନ ହଷ୍ଟେଲର ରୁମ ନମ୍ବର ୩୦୮ରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଝିଅର ମୃତ୍ୟୁ ପରେ ଗାଁକୁ ଯାଇଥିବା ପରିବାର ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଛନ୍ତି । ୭ତାରିଖ ସକାଳେ ମେଡିକାଲ କଲେଜ ହସ୍ପିଟାଲରେ ଝିଅର ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ଧରି ଗାଁକୁ ଚାଲି ଯାଇଥିଲେ ପୁରା ପରିବାର । ଘରେ ତାଲା ପକାଇ ଯାଇଥିଲେ । ଝିଅର ଶୁଦ୍ଧିକ୍ରିୟା ସାରି ଘରକୁ ଆଜି ଦିନ (ଶନିବାର) ୧୨ଟାରେ ଫେରିଥିଲେ । ତେବେ ଘରେ ପହଞ୍ଚି ସେମାନେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପଛପଟ ଫାଟକ ତାଲା ଭାଙ୍ଗି ଚୋର ଘରେ ପସି ଆଲମୀରା ଭାଙ୍ଗି ନଗଦ ୩ଲକ୍ଷ ୫୦ହଜାରରୁ ଅଧିକ ଟଙ୍କା ସମେତ ବିପୁଳ ସୁନା ଗହଣା , ଦାମିକା ଶାଢ଼ୀ ଓ ମୂଲ୍ୟବାନ ସାମଗ୍ରୀ ଚୋରୀ କରିଥିବା ଜଣା ପଡିଛି । ଘର ଭିତରେ ଜିନିଷପତ୍ର ଛିନଛତ୍ର ହୋଇ ପଡିଥିବା ଦେଖିବାକୁ ମିଳିଛି। ଏନେଇ ଟାଉନ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଲା ଭାଙ୍ଗିବାରେ ବ୍ୟବହୃତ ସମଗ୍ରୀକୁ ପୋଲିସ ଜବତ କରିଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ଏସ୍ଡିପିଓ ତୋଫାନ ବାଗ କହିଛନ୍ତି।