(ରିିପୋର୍ଟସ ଟୁଡ଼େ): ଆଜି ବି ବନ୍ଦ୍ । ମୋଦି ହଟାଅ, ଦେଶ ବଂଚାଅ ଆହ୍ୱାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ଆଜି ମଧ୍ୟ ହରତାଳ ଜାରି ରଖିଛନ୍ତି ଶ୍ରମିକ ସଂଗଠନ । ୧୨ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ ବିଜେପି ବାଦ ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଯଦିଓ ସେମାନେ ସିଧାସଳଖ ରାସ୍ତାକୁ ଓହ୍ଲାଇ ନାହାନ୍ତି, ତେବେ ସେମାନଙ୍କର ସମର୍ଥନରୁ ଧର୍ମଘଟର ଜୋରଦାର ପ୍ରଭାବ ପଡିଛି । ଧର୍ମଘଟ ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ତେବେ ଅନେକ ସ୍ଥାନରେ ବନ୍ଦକୁ ଜନତା ସ୍ୱତସ୍ପୂର୍ତ ଭାବେ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ଆଜି ଦ୍ୱିତୀୟ ଦିନରେ ବାଲେଶ୍ୱର ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳରୋକ କରିଛନ୍ତି। ଫଳରେ ସେଠାରେ ପୁରୀ-ହାଓ୍ଵଡ଼ା ପାସେଞ୍ଜର ଓ ବାରିପଦା ଫାଷ୍ଟ ପାସେଞ୍ଜର ଟ୍ରେନ୍ ଅଟକି ରହିଛି। ବ୍ରହ୍ମପୁର ଷ୍ଟେସନରେ ପଲାସା-ପୁରୀ ଟ୍ରେନ୍ ଅଟକି ରହିଥିବା ବେଳେ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏପରିକି ଭଦ୍ରକରେ ଦୋକାନବଜାର ମଧ୍ୟ ବନ୍ଦ ରହିଛି।
ଅପରପକ୍ଷେ ଧର୍ମଘଟକୁ ଆଖିଆଗରେ ରଖି ୨୨ଟି ଜିଲ୍ଲାର ଜିଲ୍ଲାପାଳମାନେ ଆଜି ମଧ୍ୟ ସେମାନଙ୍କ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିବାରୁ ସେହିସବୁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।