ବ୍ରହ୍ମପୁର ରିଙ୍ଗରୋଡ ନିର୍ମାଣକାର୍ୟ୍ୟ ଶୁଭାରମ୍ଭ

(ରଜନୀକାନ୍ତ ପାତ୍ର / ହିଞ୍ଜିଳି) : ବ୍ରହ୍ମପୁର ସହରର ଚତୁଃପାର୍ଶ୍ବରେ ରିଙ୍ଗ ରୋଡ ନିର୍ମାଣ ପାଇଁ ସହର ବାସୀଙ୍କର ଅନେକ ଦିନର ଦାବୀ ପୂରଣ ହେବାକୁ ଯାଉଛି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଭୂମି ପୂଜନ କରି ଏହି କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ରିଙ୍ଗରୋଡ ହେବା ଦ୍ବାରା ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଅନେକାଂଶରେ ସୁଧାର ଆସିବ । ଲୋକଙ୍କ ଯାତାୟତ ଦିଗରେ ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇ ପାରିବ । ଜାତୀୟ ରାଜପଥ ୧୬ ଠାରୁ ୫.୧୯କିଲୋମିଟର ନିମନ୍ତେ ଟେଣ୍ଡର ଡକାଯାଇ କାର୍ୟ୍ୟ ଆରମ୍ଭ ହୋଇଛି । ଯେଉଁଥିରେ ୨୦.୭୧ କୋଟି ଟଙ୍କା ବିନିଯୋଗ ହେବ । ମହୁଡା, କୁମାରପୁର, କୁସୁମୀ,ଗୋବିନ୍ଦପୁର-୧, ଗୋବିନ୍ଦପୁର-୨, ମନୋହରା, ମଦନ ମୋହନ ଗ୍ରାମ ଗୁଡିକ ଦେଇ ଏହି ରାସ୍ତା ନିର୍ମାଣ ହେବ । ଏହି ରିଙ୍ଗରୋଡରେ ୧୦୦୦ମିଟର ରେଲଓ୍ବେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହେବ । ଏହି ଭୂମି ପୂଜନ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, କୁକୁଡା ଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ରାସ୍ତା ଓ କୋଠାବାଡି ବିଭାଗ ନଂ-୧ର ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡା ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ ।