ବ୍ରହ୍ମପୁରକୁ ପୋଲିସ ଡିଜି ଶ୍ରୀ ଅଭୟଙ୍କ ଅଚାନକ ଗସ୍ତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଯାହାକି ସୁରତ ଫେରନ୍ତାଙ୍କୁ ନେଇ ଗଞ୍ଜାମ ଜିଲ୍ଲାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଜିଲାରେ ଗତ ୭ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଏଣୁ ରାଜ୍ୟ ପୋଲିସ ମହାନିର୍ଦେଶକ(ଡିଜି) ଅଭୟ ରବିବାର ଅଚାନକ ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି । ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କକ୍ଷରେ ବରିଷ୍ଟ ପୋଲିସ ଅଧିକାରୀଙ୍କୁ ନେଇ ସଙ୍ଗରୋଧ କକ୍ଷ ଗୁଡିକର ସୁରକ୍ଷା ବ୍ୟବସ୍ଥା ଓ ଯାଞ୍ଚ ଉପରେ କଡାକଡି ଦିଗରେ ଡିଜି ଅଭୟ ସମୀକ୍ଷା କରିଥିଲେ। ଜିଲାରେ ଚିନ୍ତାଜନକ ଭାବେ କୋଭିଡ଼ – ୧୯ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର କିପରି ସଠିକ ମୁକାବିଲା କରାଯାଇପାରିବ ସେ ନେଇ ସମୀକ୍ଷା କରିଛନ୍ତି । ଆନ୍ଧ୍ର -ଓଡିଶା ସୀମା ଗିରିସୋଲାରେ ଥିବା ଚେକପୋଷ୍ଟ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ,ଗଞ୍ଜମ ଏସ୍‌ପି ବ୍ରିଜେଶ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବା ପାଇଁ ଅଧିକ ପୋଲିସ ଫୋର୍ସ ଆବଶ୍ୟକତା ରହିଛି । ଏଣୁ ସେଠାରେ ଅଧିକରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇପାରିବ ସେ ଦିଗରେ ଡିଜି ଅଭୟ ଗୁରୁତ୍ୱାରୋପ କରିଥିଲେ।