(ରିପୋର୍ଟସ ଟୁଡେ/ ଭୁବନେଶ୍ୱର ) : ପ୍ରଶ୍ନପତ୍ର ପ୍ରଘଟ, ପ୍ରଶ୍ନପତ୍ର ଚୋରି, ମୂଲ୍ୟାୟନରେ ତ୍ରୁଟି ଭଳି ବିବାଦ ଆଉ ବିଭ୍ରାଟ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପିଛା ଛାଡ଼ୁନି। କେତେବେଳେ ରାଜନୈତିକ ବିବାଦ ପାଇଁ ତ କେବେ ପୁଣି ଆଞ୍ଚଳିକ ଲୋକଙ୍କ ପ୍ରଭାବ ପାଇଁ, ଆଉ କେବେ ଆର୍ଥିକ ପ୍ରଲୋଭନ ପାଇଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ପ୍ରଘଟ ହେଉଛି। ଏବେ ମୋବାଇଲ ଫୋନ୍ ପ୍ରଶ୍ନପତ୍ର ପ୍ରଘଟର ମୁଖ୍ୟ ଉପକରଣ ସାଜିଥିବାବେଳେ ଶିକ୍ଷକମାନେ ଏଥିରେ ମୁଖ୍ୟ କାର୍ପଟଦାର ସାଜୁଛନ୍ତି। ୨୦୦୮ରୁ ୨୦୧୯ ମସିହା ୧୨ବର୍ଷ ମଧ୍ୟରେ ୬ ଥର ପରୀକ୍ଷାରେ ବିଭ୍ରାଟ ହେଲାଣି। ଏଭଳି ବିଭ୍ରାଟ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଯେକିତି ନିନ୍ଦିତ ହେଉଛନ୍ତି, ତା’ଠାରୁ ଅଧିକ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକ।
ଚଳିତବର୍ଷ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ରେ ସବୁଠୁ ବଡ଼ ଘଟଣା ଘଟିଥିଲା। ପ୍ରଥମ ସିଟି ପରୀକ୍ଷା ଚାଲିଥିବାବେଳେ ପ୍ରଥମ ସିଟିଂ ପ୍ରଶ୍ନପତ୍ର ସମେତ ଦ୍ବିତୀୟ ସିଟିଂ ପ୍ରଶ୍ନପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଓଟିଇଟି ପରୀକ୍ଷାକୁ ବାତିଲ କରିଛନ୍ତି। ଏବେ ଓଟିଇଟି ପରୀକ୍ଷା ଅନଲାଇନରେ ଓ ଘରୋଇ ସଂସ୍ଥା ସହାୟତାରେ କରାଯିବାକୁ ଯୋଜନା ଚାଲିଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହେବା ଛାତ୍ର ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷର କାରଣ ହୋଇଛି। ଗତବର୍ଷ ୩ଟି ବିଷୟ ଭାଇରାଲ ହେବା ପରେ ଅନୁରୂପ ତ୍ରୁଟି ପୁଣି ଚଳିତବର୍ଷ ପ୍ରଥମ ପରୀକ୍ଷାରୁ ଆରମ୍ଭ ହେବା ଘଟଣା ଉଦ୍ବେଗର କାରଣ ହୋଇଛି।
ଏ ସଂକ୍ରାନ୍ତରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ବା କୌଣସି ଶିକ୍ଷକ ନ ଚାହିଁଲେ ଅନ୍ୟ ଜଣେ ହଲରେ ପ୍ରବେଶ କରିପାରିବେ ନାହିଁ । ପୂର୍ବତନ ସଂପାଦକ ଡ. ହେମେନ୍ଦ୍ର ନାରାୟଣ ଦାସ କହିଛନ୍ତି, ଏଭଳି ବିଭ୍ରାଟ ବୁଦ୍ଧିଜୀବୀ, ଛାତ୍ର ଓ ଅଭିଭାବକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।