ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ମେରାଇନ ପୋଲିସ

(ପାରାଦ୍ୱୀପ / ପ୍ରଶାନ୍ତ କୁମାର ସ୍ୱାଇଁଁ ) : ପାରାଦ୍ୱୀପ ଲାଇଟ ହାଉସରେ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପାରାଦ୍ୱୀପ ଜଟାଧାର ମୁହାଣ ମେରାଇନ ପୋଲିସ । ଆକ୍ରମଣ କରିବାକୁ ଆସିଥିବା ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ । ଆଜି ଦୁଇ ଦିନିଆ ମିଳିତ ସମରାଭ୍ୟାସର ଅନ୍ତିମ ଦିନରେ ଏହି ଦୃଶ୍ୟ ସାଧାରଣ ଜନତାଙ୍କୁ ଭୟଭୀତ କରିଦେଇଥିଲା । ୨୬/୧୧ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜଳପଥ ରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ତରଫରୁ ମିଳିତଭାବରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ଯାହାର ନାଁ ରହିଛି ସାଗର କବଚ । ଚଳିତବର୍ଷର ଶେଷ ସମରାଭ୍ୟାସ ଆଜି ଦ୍ଵିତୀୟ ଦିନରେ ପହଂଚିଥିବା ବେଳେ ସୁରକ୍ଷା କର୍ମୀ ମାନଙ୍କୁ ନେଇ ଦୁଇଟି ବିଭାଗ ନିଜର କାର୍ୟ୍ୟରେ ସଜାଗ ରହିଥିବା ଦେଖିବାକୁ ମିଳିଛି । ଗୋଟିଏ ବିଭାଗ ଆତଙ୍କବାଦୀ ରୂପରେ ପାରାଦ୍ୱୀପ ଅଞ୍ଚଳରେ ଥିବା ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଆକ୍ରମଣ କରିବାକୁ ଆସିଥିଲେ ଯାହାକୁ ପ୍ରତିରୋଧ କରିଛନ୍ତି ସ୍ଥଳଭାଗରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ । ଯାହାକୁ ନେଇ ଆଜି ଦ୍ଵିତୀୟ ତଥା ଅନ୍ତିମ ଦିବସରେ ପାରାଦ୍ୱୀପ ନେହେରୁ ବଙ୍ଗଳା ମେରାଇନ ପୋଲିସ ତରଫରୁ ଜଳପଥରୁ ଆସି ସ୍ଥଳଭାଗରେ ଆକ୍ରମଣ ଯୋଜନା କରିବାକୁ ଆତଙ୍କବାଦୀ ରୂପରେ ଆସିଥିବା ସୁରକ୍ଷା କର୍ମୀଙ୍କୁ ଧରାଯାଇଥିବା ବେଳେ ଲାଇଟହାଉସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀ ରୂପକ ସୁରକ୍ଷା କର୍ମୀଙ୍କୁ କାବୁ କରିଥିଲେ ଜଟାଧାର ମୁହାଣ ମେରାଇନ ପୋଲିସ ।