(ରିପୋର୍ଟସ ଟୁଡ଼େ) ଲୁଣି ଅଂଚଳରେ ମିଠା ପାଣି । ବିଶୁଦ୍ଧ ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଚାରିଛକ ଗୋମୁଣ୍ଡିଆରେ ବୃହତ ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ଗଂଜାମ ବ୍ଲକ୍ର ୫୫ ଟି ଗାଁ ଓ କୃଷ୍ଣପ୍ରସାଦ ବ୍ଲକ୍ର ୧୪ ପଂଚାୟତର ପ୍ରାୟ ୯୨ଟି ଗାଁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦୀର୍ଘଦିନ ଧରି ଏହି ଅଂଚଳ ବାସିନ୍ଦା ଫ୍ଲୋରାଇଡ ଓ କ୍ଲୋରାଇଡ ମିଶ୍ରିତ ପାଣି ପିଇ ଆସୁଥିଲେ । ତେଣୁ ଏଠାରେ ବସୁଧା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଫଳରେ ଦୁଇଟି ଜିଲ୍ଲାର ମୋଟ ୧୪୭ଟି ଗାଁର ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଏଥିପାଇଁ ୧୮୩ କୋଟି ଖର୍ଚ୍ଚ ହେବ । ଋଷିକୂଲ୍ୟା ନଦୀରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହାଦ୍ୱାରା କୃଷ୍ଣପ୍ରସାଦ ବ୍ଲକର ୧୪ ଟି ପଂଚାୟତର ପ୍ରାୟ ୯୨ ଟି ଗ୍ରାମର ବାସିନ୍ଦା ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଇବା ପାଣି ପାଇଁ ବର୍ଷକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତି ପଂଚାୟର ଅତିକମ୍ରେ ୨ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବାକୁ ଆମର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଛନ୍ତି ।
ଏହା ସହିତ ମୁଖମନ୍ତ୍ରୀ ଏହି କାର୍ୟ୍ୟକ୍ରମ ଜରିଆରେ ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା, ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଇତ୍ୟାଦିକୁ ଦୋହରାଇଥିଲେ । ଓଡ଼ିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି