ବନବିଭାଗ ଜବତ କଲା ଲକ୍ଷାଧିକ ଟଙ୍କାର ଶାଳପଟା ବୋଝେଇ ବୋଲେରୋ

(ବନବାସୀ ପ୍ରଧାନ /କନ୍ଧମାଳ): ଶାଳପଟା ଚୋରାଚାଲାଣ ବେଳେ ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ବନଖଣ୍ଡ ବାଲିଗୁଡ଼ା ବନାଞ୍ଚଳର ସୁଡ୍ରା ଅଞ୍ଚଳରେ ଏସିଏଫ ଡ.ରୁଦ୍ର ପ୍ରଶାଦ ରଥଙ୍କ ନେତୃତ୍ବରେ ରାତ୍ରୀ କାଳୀନ ପେଟ୍ରୋଲିଂ ଚାଲିଥିଲା । କାଠ ଚୋରାଚାଲାଣ ହେଉଥିବା ଖବର ପାଇଥିଲେ ପେଟ୍ରୋଲିଂ ଟିମ୍ । ସେହି ସମୟରେ ଶାଳପଟା ବୋଝେଇ ଗୋଟିଏ ମାକ୍ସ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଯାଉଥିବା ଦେଖି ପଟ୍ରୋଲିଂ ଟିମ୍ ଗାଡ଼ିକୁ ପିଛା କରିଥିଲେ । ପାଖାପାଖି ୧୫କିଲୋମିଟର ଘଞ୍ଚ ଜଙ୍ଗଲ ଭିତରେ ପିଛା କରିବାପରେ କନ୍ଧମାଳ-କଳାହାଣ୍ଡି ସିମାନ୍ତ ଲୁବେନଗଡ଼ ଠାରେ ଗାଡ଼ି ଛାଡ଼ି କାଠ ମାଫିଆ ଫେରାର୍ ହୋଇଯାଇଥିବାବେଳେ ଅନ୍ୟ ଜଣେ ସନ୍ଦିଗ୍ଧକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନବିଭାଗ । ୧୨୦ ଖଣ୍ଡ ଶାଳ ଚଉକାଠ ସମେତ ମାକ୍ସ ପାକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅଞ୍ଚଳରେ ଦିନକୁ ଦିନ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏଣୁ ଆଗାମୀ ଦିନରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଏସିଏଫ ।