ନୂଆଦିଲ୍ଲୀ: ଫେବ୍ରୁଆରି ମାସର ଶେଷ ଆଡକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି। ଏହା ଟ୍ରମ୍ପ୍ଙ୍କର ପ୍ରଥମ ଭାରତ ଗସ୍ତ ହୋଇଥିବାବେଳେ,ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।
ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଚାଲିବା ଏବଂ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଆମେରିକୀୟ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ଏହି ଗସ୍ତ ଦ୍ୱାରା ଗତ କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସାମରିକ ଏବଂ ବ୍ୟାବସାୟିକ ତିକ୍ତତା ହ୍ରାସ ପାଇବାର ସମ୍ଭାବନା ରହିଛି।
ଏହାଛଡ଼ା ଫେବ୍ରୁଆରି ମାସର ପ୍ରାରମ୍ଭରୁ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତାବାସକୁ ନୂତନ ରାଷ୍ଟ୍ରଦୂତ ହୋଇ ଯାଉଛନ୍ତି ତରନଜିତ ସିଂହ। ତାଙ୍କ ପୂର୍ବରୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷ ଶ୍ରିଙ୍ଗ୍ଲା ଜାନୁଆରି ୨୯ ତାରିଖରୁ ଭାରତର ବୈଦେଶିକ ସଚିବ ଭାବେ ଯୋଗ ଦେବାର ଅଛି।