ପ୍ରଦୀପଙ୍କ ହେବ କିି ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥିତି 

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚାକିରି କାଳ ୬ ମାସ ବୃଦ୍ଧି ପରେ ଚାପା ଆଲୋଚନା । ରାଜ୍ୟରେ କଣ ରହିଛି ପ୍ରଶାସନିକ ଅଧିକାରୀଙ୍କ ଅଭାବ? କାହିଁଁକି ବଢିଲା ସୁରେଶଙ୍କ କାର୍ଯ୍ୟକାଳ? ବରିଷ୍ଠ ଆଇଏଏସ ପ୍ରଦୀପଙ୍କୁ କାହିଁକି କରାଯାଉଛି ଅଣଦେଖା? ପ୍ରଦୀପଙ୍କର ହେବ କିି ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥିତି । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ କୁହାଗଲା, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତିକୁ ଏଡାଇବାକୁ ସରକାର ସୁରେଶଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢାଯାଇଛି । କିନ୍ତୁ ବୁଦ୍ଧିଜୀବୀ ମହଲ ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି । ଚର୍ଚ୍ଚା ହେଉଛି, ରାଜ୍ୟରେ ପ୍ରଶାସନିକ ସେବାରେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଏକାଧିକ ଅଧିକାରୀ ରହିଛନ୍ତି । ମୁଖ୍ୟ ଶାସନ ସଚିବ ପାହ୍ୟାରେ ମୁଖ୍ୟ ଶାସନ ସଚିବ, ବୋର୍ଡ ଅଫ ରେଭିନ୍ୟୁର ସଦସ୍ୟ, କେବିକେର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ କମିଶନର ରହିଛନ୍ତି । ଏହା ସତ୍ତେ୍ୱ ସୁରେଶଙ୍କୁ ଅହେତୁକ ଅନୁକମ୍ପାକୁ, କେବଳ ଉନ୍ନୟନ କମିଶନରଙ୍କ ପତ୍ତା କାଟ୍ ପାଇଁ ହୋଇଛି ବିଧିବଦ୍ଧ ଷଡଯନ୍ତ୍ର


ପ୍ରଦୀପ ଜେନା, ୧୯୮୮ ବ୍ୟାଚର ଏହି ଆଇଏଏସ ଅଫିସର ଏକା ଧାରରେ ଜଣେ କର୍ମଠ, ଦକ୍ଷ, ସଚ୍ଚୋଟ ଓ ନିରପେକ୍ଷ ଅଧିକାରୀ । ବର୍ତ୍ତମାନ ସେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ନିଯୁକ୍ତ ହୋଇଛନ୍ତି । ଡେଭେଲପମେଣ୍ଟାଲ କମିଶନର ହେବା ସହ ସ୍ପେଶାଲ ରିଲିଫ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ପରେ ପ୍ରଦୀପ ହିଁ ତାଙ୍କ ସ୍ଥାନରେ ନିଯୁକ୍ତି ପାଇବାକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ହୋଇଆସୁଥିଲା । କାରଣ ପ୍ରଦୀପ, ରାଜ୍ୟ ସରକାରଙ୍କ ଯେଉଁ ଯେଉଁ ବିଭାଗରେ ନିୟୋଜିତ ଅଛନ୍ତି, ସେ ତାଙ୍କ କାର୍ଯ୍ୟଦକ୍ଷତା ଦର୍ଶାଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ପ୍ରଦୀପ ଏମିତି ଜଣେ ଅଧିକାରୀ ଯାହାଙ୍କ ନାମରେ ନାହିଁ କୌଣସି ବିବାଦ ବା ତାଙ୍କ ନାମରେ ନାହିଁ କୌଣସି ଦୁର୍ନୀତିର ଅଭିଯୋଗ ।


ସେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଛନ୍ତି ଖ୍ୟାତି । ଏହା ବ୍ୟତୀତ ଭାରତ ସରକାର, ନାସନାଲ ସାଇକ୍ଲୋନ ରିସ୍କ ମିଟିଗେସନ, ଓଡିଶା ବିପର୍ଯ୍ୟୟ ପୁନଃ ନିର୍ମାଣ ପ୍ରକଳ୍ପ ଭଳି ବିଶ୍ୱ ବ୍ୟାଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରକଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟ ସ୍ୱାର୍ଥ ରକ୍ଷାରେ ହୋଇଛନ୍ତି ସହାୟ । ରାଜ୍ୟର ସ୍ୱାର୍ଥ ତାଙ୍କ ପାଇଁ ସରକାରଙ୍କ ସ୍ୱାର୍ଥ ଆଗରେ ଛୋଟ । ତେଣୁ ତ ଯେତେବେଳେ ତାଙ୍କ ବିଭାଗରେ ରାଜ୍ୟ ସ୍ୱାର୍ଥ ବିରୋଧରେ କୌଣସି ନିଷ୍ପତ୍ତି ନେଇଛନ୍ତି ସରକାର ତାକୁ ସେ ଘୋର ବିରୋଧ କରିଛନ୍ତି । ତାଙ୍କର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗ୍ରହଣ କରିଥାନ୍ତି । ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକରେ ଥିବା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସର୍ବାଗ୍ରରେ ରହିଛନ୍ତି । ୨୦୨୧ ପର୍ଯ୍ୟନ୍ତ ନବୀନଙ୍କ ଅତି ବିଶ୍ୱସ୍ତ ଥିଲେ ପ୍ରଦୀପ । ତାଙ୍କ କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା ପାଇଁ ସେ ବୁଦ୍ଧିଜୀବୀଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିଛନ୍ତି । ତେଣୁ ତାଙ୍କୁ ହିଁ ପରବର୍ତ୍ତୀ ମୁଖ୍ୟ ଶାସନ କରାଯିବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଥିଲା ।


କିନ୍ତୁ କରୋନା କାଳରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦଳୀୟ ନେତା ମନ୍ତ୍ରୀ ଦୂରେଇ ଯିବା ସହ ପ୍ରଦୀପ ମଧ୍ୟ ଯେମିତି ଦୂରେଇ ଯାଇଥିଲେ । କୌଣସି ଅଦୃଶ ଶକ୍ତି ରାଜ୍ୟ ଶାସନ କଳକୁ ଅକ୍ତିଆର କରି ଶାସନ ଚଳାଇଥିବା ନେଇ ବାରମ୍ବାର ସମ୍ବାଦିକ ଓ ବୁଦ୍ଧିଜୀବୀ ଅଭିଯୋଗ ଆଣୁଥିବା ବେଳେ ବର୍ତ୍ତମାନ ପ୍ରଦୀପଙ୍କୁ ଅଣଦେଖା କରି ସୁରେଶଙ୍କ କାର୍ଯ୍ୟକାଳ ୬ ମାସ ବଢାଇ ଦିଆଯିବା ତଥା କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଣଓଡିଆ ଆଇଏଏସ ଅଧିକାରୀ ରାଜେଶ ବର୍ମାଙ୍କୁ ଏହି ପଦରେ ଅବସ୍ଥାପିତ କରିବାକୁ ଏପରି କରାଯାଇଥିବା କୁହାଯାଉଛି । ବର୍ମା ପୂର୍ବରୁ ଶକ୍ତି ବିଭାଗର ମୁଖ୍ୟ ସଚିବ ରହିବା ସହ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଇଛନ୍ତି । କିନ୍ତୁ ପ୍ରଦୀପଙ୍କ ପରି ଜଣେ ଅଧିକାରୀଙ୍କୁ ଅଣଦେଖା କରାଯିବାକୁ ନେଇ ଚାଲିଛି ଚର୍ଚ୍ଚା । କୁହାଯାଉଛି, ପ୍ରଦୀପଙ୍କ କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତାକୁ ନେଇ ଭୟଭୀତ ଅଦୃଶ ଶକ୍ତି । ତେଣୁ ପୂର୍ବରୁ ଯେମିତି ପ୍ରଦୀପ୍ତ ମହାପାତ୍ରଙ୍କୁ ଲୋକସେବା ଭବନରୁ ଦୂରେଇ ଦିଆଗଲା, ସେହିପରି ପ୍ରଦୀପଙ୍କୁ ବାହାରର ରାସ୍ତା ଦେଖାଇବା ପାଇଁ ଚାଲିଛି ପ୍ରସ୍ତୁତି ବୋଲି ଚର୍ଚ୍ଚା ହେଉଛି ।