ନାଲି ଫିତା ତଳେ ବନ୍ଧା ପଡିଛି ସରକାରୀ ଯୋଜନା

(ଅଜିତ ସାହୁ/ଜଳେଶ୍ୱର): ସରକାର ପ୍ରତ୍ୟେକ ଗାଁର ପ୍ରତି ଘରକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାର ଡିଣ୍ଡିମ ପିଟୁଛନ୍ତି। ମାତ୍ର ଏ ଦିଗରେ ସରକାରଙ୍କ ପ୍ରସ୍ତୁତ ଯୋଜନା ସବୁ ପ୍ରକୃତ ହିତାଧିକାରୀଙ୍କ ଠାରୁ ପହଞ୍ଚୁ ନାହିଁ। ଯୋଜନା ଗୁଡିକ କେବଳ ଶିଳା ନ୍ୟାସ ଓ ବୋରିଂରେ ସୀମିତ ରହୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଁଳାଡ଼ିହା ପଂଚାୟତରେ। ପଂଚାୟତଟି ସମୁଦ୍ର ନିକଟବର୍ତ୍ତୀ ହୋଇ ଥିବାରୁ ପିଇବା ପାଣିକୁ ନେଇ କଷ୍ଟ ବର୍ଷ ତମାମ ଲାଗି ରହିଥାଏ। ୧୦ ହଜାରରୁ ଅଧିକ ଲୋକ ରହୁଥିବା ଏହି ପଞ୍ଚାୟତରେ ପାଣି ସମସ୍ୟାର ସମାଧାନ ପାଇଁ ପାଞ୍ଚଟି ପାନୀୟ ଜଳ ପ୍ରକଳ୍ପର ସ୍ଥାପନା କରାଯାଇଥିଲା । ଏଥିରୁ ଦୁଇଟି ପ୍ରକଳ୍ପର ପାଇପ ବିଛାଣି ସମ୍ପୂର୍ଣ୍ଣ ହୋଇନଥିବା ବେଳେ, ସେଗୁଡିକ ଅଧାପନ୍ତରିଆ ଭାବେ ଚାଲୁଛି। ଅନ୍ୟ ତିନୋଟି ୨୦୧୩ ଓ ୨୦୧୬ ମସିହାରେ ଶିଳାନ୍ୟାସ ହୋଇଥିଲା। ତେବେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଏଠାରେ କେବଳ ବୋରିଂ ଖୋଳା ହୋଇ ରହିଛି। ପଂଚାୟତ ର ନିର୍ଦିଷ୍ଟ କିଛି ସାହିକୁ ଛାଡି ଦେଲେ ସାରା ପଂଚାୟତରେ ପିଇବା ପାଣି ପାଇଁ ହାହାକାର। ବାରବିଲ, ଚାନ୍ଦମଣି ଭଳି ଗାଁ ଗୁଡିକ ହରିଜନ ବହୁଳ ଅଞ୍ଚଳ ହୋଇଥିବାରୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଅନ୍ୟ ପକ୍ଷରେ ଏହି ପଞ୍ଚାଚାୟତରେ ତିରିଶଟି ଝୁମୁରି ନଳକୂପ ଥିବା ଵେଳେ ଏଥିରୁ ମାତ୍ର ତିନୋଟି କାର୍ୟ୍ୟକ୍ଷମ ରହିଛି। ସେଥିରୁ ପୁଣି କେତେବେଳେ କଳା ପାଣି ତ କେତେ ବେଳେ ନାଲି ପାଣି ବାହାରୁଛି। କିଛି ଅଞ୍ଚଳ ବାସୀ ବାଧ୍ୟ ହୋଇ ଅପରିଷ୍କାର ପାଣି ପିଉଥିବା ବେଳେ, ଆଉ କିଛି ଭଲ ପାଣି ପାଇଁ ସବୁଦିନ ଅଧ କିଲୋମିଟର ଦୂରକୁ ଚାଲି ଚାଲି ଯାଉଛନ୍ତି। ପଞ୍ଚାୟତବାସୀଙ୍କ ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ ବାରମ୍ବାର ଦାବି କରି ଆସୁଥିଲେ ବି ପ୍ରଶାସନ ତାଙ୍କୁ କୌଣସି ପ୍ରକାରେ ସହଯୋଗ କରୁ ନଥିବା ଜଣାଯାଇଛି । ତେବେ ପାନୀୟ ପ୍ରକଳ୍ପ ଗୁଡିକୁ ପଞ୍ଚାୟତ ଫଣ୍ଡରେ କାର୍ୟ୍ୟକ୍ଷମ କରାଯିବାର ପ୍ରତିଶୃତି ଦିଆଯାଇଥିବା ବେଳେ ବିଭାଗୀୟ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ କେହିବି ସମସ୍ୟା ସମାଧାନ ନେଇ ମୁହଁ ଖୋଲୁ ନାହାନ୍ତି । ତେବେ ଅଁଳାଡ଼ିହା ପଂଚାୟତ ବାସୀଙ୍କର ପାନିୟ ଜଳ ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।