ଧରାପଡିଲା ବାଙ୍ଗାଲୋର କଣ୍ଡକ୍ଟରଙ୍କ ମିଛ

ବାଙ୍ଗାଲୋର (ରିପୋର୍ଟସ ଟୁଡ଼େ): କିଛି ଦିନ ତଳେ କର୍ଣ୍ଣାଟକର ଜଣେ ବସ କଣ୍ଡକ୍ଟର ୟୁପିଏସସି ପରୀକ୍ଷାର ପ୍ରି ଓ ମେନ୍ ପରୀକ୍ଷାରେ ସଫଳତା ହାସଲ କରିବା ଘଟଣା ସାରାଦେଶରେ ଭାଇରାଲ ହୋଇଥିଲା|

ଜାତୀୟ ଗଣମାଧ୍ୟମର ବାଙ୍ଗାଲୋର ମିରରରେ ପ୍ରକାଶିତ ଖବର ଅନୁସାରେ ବିଏମ୍‌ଟିସିରେ କାମ କରୁଥିବା ମଧୁ ଏନସି ନାମକ ଜଣେ ୨୯ ବର୍ଷୀୟ ବସ୍‌ କଣ୍ଟକ୍ଟର ୟୁପିଏସ୍‌ସି ପରୀକ୍ଷାର ପ୍ରି ଓ ମେନ ପରୀକ୍ଷା ପାସ୍‌ କରିଥିବା ଜଣାପଡିଥିଲା | କିନ୍ତୁ ଏବେ ଏହି ଖବର ମିଛ ବୋଲି ଜଣାପଡିଛି | ମଧୁ ପରୀକ୍ଷାରେ ଯୋଗ୍ୟତା ହାସଲ କରିନଥିବାବେଳେ ଗଣମାଧ୍ୟମକୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି  |

ମିଳିଥିବା ସୂଚନା ଅନୁଯାୟୀ ଜାନୁୟାରୀ ୧୪ ତାରିଖ ୨୦୨୦ରେ ୟୁପିଏସସି ନୋଟିସରେ ଉଲ୍ଲେଖ ଥିବା ଇଣ୍ଟରଭିୟୁ ତାଲିକାରେ ମଧୁଙ୍କ ନାମ ନଥିଲା | ଏହି ସାକ୍ଷାତକାର ଆଇଏଏସ, ଆଇପିଏସ, ଆଇଏଫଏସ ଓ ଅନ୍ୟ ଅଧିକାରୀଙ୍କ ନିଯୁକ୍ତି ପାଇଁ ନିଆଯାଇଥାଏ | ମଧୁ ଯେଉଁ ସାର୍ଟିଫିକେଟ ଦେଖାଇଥିଲେ ତାହା ତାଙ୍କର ନଥିଲା ବୋଲି ଜଣାପଡିଛି |

ଏହି ସାର୍ଟିଫିକେଟ ମଧୁ କୁମାରୀ ନାମକ ଜଣେ ଯୁବତୀଙ୍କର ହୋଇଥିବାବେଳେ ମଧୁ ଅତି ଚତୁରତାର ସହ ସମସ୍ତଙ୍କୁ ମିଛ କଥା କହିଥିଲେ | ଏହି ମିଛ ଖବରକୁ ନେଇ ବାଙ୍ଗାଲୋର ମିରରର ସମ୍ପାଦକ ରବି ଯୋଶୀ କ୍ଷମା ପ୍ରାର୍ଥନା କରିଛନ୍ତି |