(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗତ ଦୁଇ ଦିନରେ ପଞ୍ଜିକରଣ କରିଛନ୍ତି ୪ଲକ୍ଷ ୮୬ହଜାର ଓଡିଆ । କୋରୋନା ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ରହିଛି । ରାଜ୍ୟ ବାହାରେ ପ୍ରବାସୀ ଓଡିଆ ଫସି ରହିଥିବା ବେଳେ ସେମାନଙ୍କୁ ଓଡିଶା ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ବାହାରେ ଥିବା ଓଡିଆ ଘରକୁ ଫେରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଗତ ଦୁଇ ଦିନରେ ବିଭିନ୍ନ ରାଜ୍ୟରେ ଥିବା ୪ ଲକ୍ଷ ୮୬ ହଜାର ଓଡିଆ ପଞ୍ଜିକରଣ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ କୋରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ପ୍ରତି ପଞ୍ଚାୟତରେ ସମସ୍ତ ସୁବିଧା କରାଯାଇଛି । ଏଥିପାଇଁ ରାଜ୍ୟରେ ୬ ହଜାର ୭୯୮ ଟି ପଞ୍ଚାୟତ ର ନୋଡୋଲ ଅଫିସରଙ୍କୁ ତାଲିମ ପ୍ରଦାନ କରାଯାଇଛି ।
ସେପଟେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଥିବା ବେଳେ ୩୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ୭୩ ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।