ଦିଲ୍ଲୀ ଚତୁର୍ଥ ବିଜୟ

(ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ) : ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ବିଜୟ ପାଇଛି। ଗତକାଲି ‌କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଶିଖର ଧାୱନ (୯୭ଞ୍ଚ, ୬୩ ବଲ୍‌, ୧୧ ଚୌକା, ୨ ଛକା) ଏବଂ ଋଷବ ପନ୍ତ (୪୬, ୩୧ ବଲ୍‌, ୪ ଚୌକା, ୨ ଛକା)ଙ୍କ ଶତକୀୟ ଭାଗୀଦାରି ବଳ‌ରେ ଦିଲ୍ଲୀ କ୍ୟ‌ାପିଟାଲ୍ସ ୭ ୱିକେଟ୍‌ରେ ଘରୋଇ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ୧୭୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ ଦଳ ତୃତୀୟ ଓଭରରେ ପୃଥ୍ବୀ ସ’ (୧୪ ରନ୍‌)ଙ୍କୁ ହରାଇଥିଲା। ସେ ପ୍ରସିଦ୍ଧ କୃ‌ଷ୍ଣଙ୍କ ବଲ୍‌ରେ ୱିକେଟ୍‌ରକ୍ଷକ ଦୀନେଶ କାର୍ତିକଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ଶ୍ରେୟଶ ଆୟର (୬ ରନ୍‌)ଙ୍କୁ ଦଳ ସଅଳ ହରାଇଥି‌ଲା। ଆନ୍ଦ୍ରେ ରସେଲ ତାଙ୍କୁ ୱିକେଟ୍‌ ପଛପଟେ କାର୍ତିକଙ୍କ ହାତରେ କ୍ୟାଚ୍‌ କରାଇ ଦିଲ୍ଲୀକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ। ୫.୪ ଓଭରରେ ୫୭ ରନ୍‌ରେ ୨ ୱିକେଟ୍‌ ହରାଇ ବିପଦରେ ପଡ଼ିଥିବା ଦିଲ୍ଲୀକୁ ଧ‌ାୱନ୍‌-ପନ୍ତ ଯୋଡ଼ି ଦୃଢ଼ ସ୍ଥିତି ଦେଇଥିଲେ। ଉଭୟ ତୃତୀୟ ୱିକେଟ୍‌ରେ ୧୦୫ ରନ୍‌ର ଭାଗୀଦାରି କରି ବିଜୟକୁ ସହଜ କରିଦେଇଥିଲେ।