ତୈଳ ଦର ଅହେତୁକ ବୃଦ୍ଧି ପ୍ରତ୍ୟାହାର ଦାବିରେ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର: କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ଲଗାତାର ତୈଳ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି । ଯାହାଦ୍ବାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି । ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ଟ.୨୫.୭୨ ପଇସା ଓ ଡିଜେଲ ଦର ଟ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଏହି ବର୍ଷର ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟିବା ଓ ଅବିଳମ୍ବେ ତୈଳଯାତ ଦ୍ରବ୍ୟ (ଉଭୟ ପେଟ୍ରୋଲ ଓ ଡିଜେଲ) ଦର କୁ ହ୍ରାସ କରିବା ଦାବୀରେ ( ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିବା ଦାବୀରେ) ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ମୁତାବକ ଚଳିତ ମାସ ଜୁନ ୧୧ ତାରିଖ ଶୁକ୍ରବାର ପ୍ରାତଃ ୭ ଘଟିକାରୁ ୧୧ ଘଟିକା ପର୍ୟ୍ୟନ୍ତ (ତାଲାବନ୍ଦ ସମୟ ମଧ୍ୟରେ) ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଭାବେ ଧାରଣା ଓ ବିକ୍ଷୋଭ କରିବାକୁ ପିସିସି ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।