ଟଙ୍କାର ପାହାଡ ମିଳିଲା ଦୁଇ ବିଧାୟକଙ୍କ ଘରୁ !

A mountain of money was found in the house of two MLAs !

ରାଞ୍ଚି: ଆୟକର ବିଭାଗ ପକ୍ଷରୁ ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଏବଂ ସେମାନଙ୍କ ସହଯୋଗୀଙ୍କ ସମେତ କିଛି ବ୍ୟବସାୟୀଙ୍କ ଘରେ ଆଜି ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଆୟକର ବିଭାଗ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମୀ କାରବାର ଏବଂ ପୁଞ୍ଜି ବିନିଯୋଗ ବାବଦରେ ଜାଣିବାକୁ ପାଇଛି । ଏନେଇ ଆୟକର ବିଭାଗ କହିଛି ଯେ ନଭେମ୍ବର ୪ରେ ରାଞ୍ଚି, ଗୋଡା, ବେରମୋ, ଦୁମକା, ଜାମସେଦପୁର, ଚାଇବାସା, ବିହାରର ପାଟନା, ହରିୟାଣାର ଗୁରୁଗ୍ରାମ ସହ ପଶ୍ଚିମବଙ୍ଗର କୋଲକାତା ସମେତ ୫୦ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଆୟକର ଅଧିକାରୀମାନେ ମଧ୍ୟ ଏହି ଚଢ଼ାଉ ସମୟରେ ନଗଦ ୨ କୋଟି ଟଙ୍କା ଜବତ କରିଥିଲେ । ତେବେ ଏତେ ମାତ୍ରାରେ ବେଆଇନ ଟଙ୍କା ଦେଖିବାକୁ ମିଳିଥିଲା ଯେ, ଟଙ୍କା ଗଣିବା ପାଇଁ ମେସିନ୍ ବ୍ୟବହାର କରିବାକୁ ପଡିଥିଲା ।
ଆୟକର ବିଭାଗ ଯେଉଁ ଦୁଇ କଂଗ୍ରେସ ବିଧାୟକଙ୍କ ଘରେ ରେଡ କରିଥିଲା ସେମାନଙ୍କ ନାମ ହେଉଛି କୁମାର ଜୟମଙ୍ଗଲ ଏବଂ ପ୍ରଦୀପ ଯାଦବ । ବେରମୋ ଆସନରୁ ବିଧାୟକ ଥିବା ଜୟମଙ୍ଗଲ ଏହି ଚଢ଼ାଉକୁ ସ୍ୱୀକାର କରିଛନ୍ତି ଓ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ସୂଚନା ଥାଉ କି ଝାଡ଼ଖଣ୍ଡରେ ଏବେ ହେମନ୍ତ ସୋରେନଙ୍କ ନେତୃତ୍ୱରେ କଂଗ୍ରେସ ସହ ଜେଏମଏମର ଗଠବନ୍ଧନର ସରକାର ରହିଛି । ଆୟକର ବିଭାଗ କହିଛି ଯେ ଲୁହାପଥର ଖଣି, କୋଇଲା କାରବାର, ପରିବହନ ସହିତ ଜଡିତ କେତେକ ବ୍ୟବସାୟିକ ଗୋଷ୍ଠୀ ବିରୋଧରେ ଏହି କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି । ବିଭାଗ କହିଛି ଯେ ଯେଉଁମାନଙ୍କ ଘର ଖୋଜା ଯାଇଥିଲା ସେମାନଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ଥିବାବେଳେ ୨ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି ଓ ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ପ୍ରମାଣ ମଧ୍ୟ ମିଳିଛି ।