(ଦୀପକ ମିଶ୍ର/ଉଦଳା): କରୋନା କଟକଣା ଯୋଗୁଁ ଏବେ ସ୍କୁଲ, କଲେଜ ବନ୍ଦ ଥିବାବେଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନଲାଇନରେ ଚାଲିଛି ପିଲାଙ୍କ ପାଠପଢା । ଗରିବ ଶ୍ରେଣୀର ଅନେକ ପରିବାର ଅନଲାଇନ ମାଧ୍ୟମରେ ପାଠପଢା ପାଇଁ ପିଲାଙ୍କୁ ସ୍ମାର୍ଟଫୋନଟିଏ ଯୋଗାଇପାରୁନଥିବା ବେଳେ ଆଉ କିଏ ଫୋନ କିଣିବା ପାଇଁ ଗୋରୁ ଗାଈ ବିକିବାକୁ ବାଧ୍ୟ ହେଉଛନ୍ତି । ଏ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଦୁତିକାଦେଇପୁର ଗାଁର ନବମ ଶ୍ରେଣୀ ଛାତ୍ରୀ କୌଶଲ୍ୟା ଜେନା । ବାପା ଗଣେଶ୍ୱର ଜେନା ଜଣେ ଦିନ ମଜୁରିଆ । କରୋନା କଟକଣା ଭିତରେ ଝିଅର ଅନଲାଇନ ପାଠପଢା ପାଇଁ ମୋବାଇଲ କିଣିବାକୁ ଯାଇ ଗଣେଶ୍ୱର ବିକ୍ରୀ କରିଛନ୍ତି ଘରେ ଦୀର୍ଘ ଦିନରୁ ପାଳିତ ଗୋରୁ । ତେବେ ସ୍ମାର୍ଟଫୋନ କିଣିବା ପରେ ବି ଘର ପାଖରେ ମୋବାଇଲ ନେଟୱର୍କ ଆସୁନଥିବାରୁ ଅନ୍ୟ ଜାଗାକୁ ଯାଇ ପାଠ ପଢିଥାନ୍ତି ବୋଲି କୁହନ୍ତି କୌଶଲ୍ୟା । ଏନେଇ ତାଙ୍କ ମାଆ ମଧ୍ୟ ସମାନ ମତ ରଖିଛନ୍ତି ।