(ରଜନୀଜାନ୍ତ ପାତ୍ର/ହିଞ୍ଜିଳି): ମହାମାରୀ କରୋନା କବଳରେ ଏବେ ସାରା ଗଂଜାମ ଜିଲ୍ଲା । ଗାଁଠୁ ସହର ସବୁଠି କରୋନା ତାର କାୟା ବିସ୍ତାର କରୁଥିବା ବେଳେ ଜିଲ୍ଲାର ଜେଲ ଗୁଡିକରେ ରହୁଥିବା କଏଦୀ ମାନେ ଏବେ ଭୟ ଓ ଅ।ତଙ୍କ ଦେଇ ଜେଲର ଚାରିକାନ୍ଥ ଭିତରେ ପଡି ରହିଛନ୍ତି । ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ବ୍ରହ୍ମପୁର ଜେଲରେ ଥିବା ଜଣେ ବିଚାରାଧିନ କଏଦୀ ଏକ ଅଡିଓ ଟେପ ଜରିଆରେ ଏଭଳି ଅଭିଯୋଗ ଆଣିଛନ୍ତି । ଯାହାକି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ଗଞ୍ଜାମ ଜିଲ୍ଲାର ଅସିକା, ବ୍ରହ୍ମପୁର, କୋଦଳା, ଭଂଜନଗର, ସୋରଡା , ଛତ୍ରପୁର ଓ ଦିଗପହଣ୍ଡି ଜେଲ ଗୁଡିକରେ ହଜାର ହଜାର କଏଦୀ ରହିଛନ୍ତି । ସେମାନଙ୍କ ଅବସ୍ଥା କିଭଳି ରହିଛି ତାହା ସମସ୍ତଙ୍କୁ ଅଛପା ଥିବା ବେଳେ ବ୍ରହ୍ମପୁର ଜେଲର ଚାରି କାନ୍ଥ ଭିତରେ କରୋନା ଭୟରେ ଦିନ କାଟୁଥିବା ଜଣେ କଏଦୀର ଆକୁଳ ନିବେଦନର ଅଡିଓ ଏବେ ସାରା ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି । ଜେଲରେ ସାମାଜିକ ଦୂରତା ଠାରୁ ଆରମ୍ବ କରି କରୋନା ସମ୍ପର୍କିତ କୌଣସି ସତର୍କତା ଏଠାରେ ପାଳନ କରାଯାଉନଥିବା ଅଡିଓ ମାଧ୍ୟମରେ ଅଭିଯୋଗ ହୋଇଛି। ଏନେଇ କୋଦଳା ସବ-ଜେଲର ଅଧିକାରୀଙ୍କୁ ପଚରାଯିବାରୁ ତାଙ୍କ ଜେଲରେ କଏଦୀ ମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଅ।ଯାଇଥିବା ସେ କହିଥିଲେ । ଅଡିଓଟି ଭାଇରାଲ ହେବା ପରେ ଜିଲ୍ଲାର ସମସ୍ତ ଜେଲରେ ରହୁଥିବା କଏଦୀ ମାନଙ୍କ ପ୍ରତି ସରକାର ନଜର ଦେବା ସହ ସେମାନଙ୍କୁ କରୋନା କବଳରୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ବୃଦ୍ଧିଜିବୀ ମହଲରେ ଦାବି ହୋଇଛି ।