ଜିଏସଟିକୁ ପୂରିଲା ୫ ବର୍ଷ

ଜୁନ୍ ୩୦ ୨୦୧୭ ମଧ୍ୟରାତ୍ରରୁ ଆରମ୍ଭ ହୋଇଥିଲା ଏବେ ବି ଲୋକେ ଅବୁଝା ଓ ଦ୍ୱନ୍ଦ୍ୱରେ

ନୂଆଦିଲ୍ଲୀ: ଦେଶରେ ଜିଏସଟି ପ୍ରଚଳନକୁ ଇତି ମଧ୍ୟରେ ୫ ବର୍ଷ ପୂରିଯାଇଛି। ସେବା କର ବିକ୍ରି କର ଭଳି ୧୭ ପ୍ରକାର ସ୍ଥାନୀୟ ଟିକସ ଓ ୧୩ ପ୍ରକାର ସେସକୁ ଉଚ୍ଛେଦ କରି ସେହି ସ୍ଥାନରେ ଜିଏସଟି ଲାଗୁ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଟିକସଦାତାଙ୍କୁ ବହୁ ସଂଖ୍ୟକ ଟିକସରୁ ମୁକ୍ତି ଦେଇ ସରଳ ଟିକସ ବ୍ୟବସ୍ଥା ପ୍ରଦାନ କରିବା। ଏହାକୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜୁନ୍ ୩୦ ଜୁଲାଇ ୧ ତାରିଖ ମଧ୍ୟ ରାତ୍ରିରେ ଘଣ୍ଟା ବଜାଇ ଶୁଭାରମ୍ଭ କରିଥିଲେ। ଜିଏସଟି ପ୍ରଚଳନ ଠାରୁ ପରିଷଦର ୪୭ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଭାରତରେ ଚାରି ଥାକିଆ ଜିଏସଟି ଲାଗୁ କରାଯାଇଛି। ୫%, ୧୨%, ୧୮% ଓ ୨୮% ଭଳି ଚାରିଟି ଟିକସ ସ୍ଲାବ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ ଛାଡ ବର୍ଗରେ ରଖାଯାଇଥିବାବେଳେ ହାନିକାରକ ଓ ବିଳାସପୂଣ୍ଣ ବସ୍ତୁ ଉପରେ ସେସ ଲାଗୁ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବସ୍ତୁ ଓ ସେବା ଉପରେ ଜିଏସଟି ଲାଗୁ ହୋଇପାରିନାହିଁ। ପେଟ୍ରୋଲିୟମ୍ ସାମଗ୍ରୀ, ବିମାନ ଇନ୍ଧନ ଓ ବିଦ୍ୟୁତ୍ ଶକ୍ତି ଏବେବି ଜିଏସଟି ପରିସର ବାହାରେ ରହିଛି। ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବସାୟୀମାନେ ସନ୍ଦୀହାନ ଥିବା ଜଣାପଡିଛି।