ଭୁବନେଶ୍ୱର : ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଣି ବିଲଡର ଗୟାଧର ଜେନାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ଜମି ଦେବାକୁ କହି ଟଙ୍କା ନେଇ ଜମି ଠକି ଦେବା ଶାରଳା ରିଅଲକନ୍ ନାଁରେ ଆସିଥିଲା ଅଭିଯୋଗ । ପୁଲିସ ଘଟଣାର ତଦନ୍ତ କରିବା ସହ ଆଜି ଶାରଳା ରିଅଲକନ୍ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି। ଗୟାଧର ଜେନାଙ୍କ ଶାରଳା ରିଅଲକନ୍ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ କରିଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା। ଯାହା ପରେ ପୁଲିସ ଗୟାଧର ଜେନାଙ୍କୁ ଗିରଫ କରିଛି। ଏହାପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ୪ ଥର ଗିରଫ ହୋଇସାରିଛନ୍ତି ଗୟାଧର ଜେନା।
ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ। ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ।
ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ଶାରଳା ସଂସ୍ଥା ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା । ଆଉ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।