ଚନ୍ଦ୍ରାୟନ-୨ର ସଫଳତାପୂର୍ଣ୍ଣ କକ୍ଷ ପରିବର୍ତ୍ତନ

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ)ର ବୈଜ୍ଞାନିକ ଚନ୍ଦ୍ରଯାନ-୨କୁ ପୃଥିବୀର କକ୍ଷରୁ ଆଗକୁ ବଢାଇବା ଆରମ୍ଭ କରିଛି। ଜୁଲାଇ ୨୨ରେ ଉତକ୍ଷେପଣ ପରେ ଏହାକୁ ପେରିଜି (ପୃଥିବୀରୁ କମ ଦୂରତା) ୧୭୦ କିମି ଏବଂ ଏପୋଜି (ପୃଥିବୀରୁ ଅଧିକ ଦୂର) ୪୫୪୭୫ କିମିରେ ସ୍ଥାପିତ କରାଯାଇଥିଲା। ଆଜି ମଧ୍ୟାହ୍ନ ୨ଟାରୁ ୩ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ର କକ୍ଷକୁ ସଫଳତାପୂର୍ବକ ପରିବର୍ତ୍ତନ କରାଯାଇଛି। ଏବେ ଏହାର ପେରିଜି ୨୩୦ କିମି ଏବଂ ଏପୋଜି ୪୫୧୬୩ କିମି କରାଯାଇଛି।
ଏହା ପରେ ଅଗଷ୍ଟ ୬ ସୁଦ୍ଧା ପୃଥିବୀର ଚତୁଃପାର୍ଶ୍ଵରେ ଚନ୍ଦ୍ରଯାନ-୨ର କକ୍ଷପଥକୁ ବଦଳାଯିବ। ଜୁଲାଇ ୨୨ରେ ଉତକ୍ଷେପଣ ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପାଇଁ ଚନ୍ଦ୍ରଯାନ-୨ର ୪୮ ଦିନିଆ ଯାତ୍ରା ଆରମ୍ଭ ହୋଇ ଯାଇଛି। ଉତକ୍ଷେପଣର ୧୬.୨୩ ମିନିଟ୍ ପରେ ଚନ୍ଦ୍ରଯାନ-୨ ପୃଥିବୀରୁ ୧୭୦ କିମି ଉଚ୍ଚରେ ଜିଏସଏଲଭି-ଏମକେ ୩ ରକେଟରୁ ଅଲଗା ହୋଇ ପୃଥିବୀ କକ୍ଷରେ ଘୁରି ବୁଲୁଥିଲା। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରଯାନ-୨ର ଉତକ୍ଷେପଣକୁ ନେଇ ଅନେକ ପରିବର୍ତ୍ତନ କରିଥିଲେ।
ଚନ୍ଦ୍ରଯାନ-୨ ମହାକାଶ ଯାନ ଜୁଲାଇ ୨୨ରୁ ଅଗଷ୍ଟ ୬ ପର୍ୟ୍ୟଲନ୍ତ ପୃଥିବୀକୁ ପରିକ୍ରମା କରିବ। ଏହା ପରେ ଅଗଷ୍ଟ ୨୪ ରୁ ୨୦ ପର୍ୟ୍ୟନ୍ତ ଚନ୍ଦ୍ର ଅଭିମୁଖେ ଯିବାକୁ ଥିବା ଲମ୍ବା କକ୍ଷରେ ଯାତ୍ରା କରିବ। ଅଗଷ୍ଟ ୨୦ରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଏହା ପରେ ୧୧ ଦିନ ଅର୍ଥାତ ଅଗଷ୍ଟ ୩୧ ପର୍ୟ୍ୟନ୍ତ ଚନ୍ଦ୍ରକୁ ପରିକ୍ରମା କରିବ। ଏହା ପରେ ସେପ୍ଟେମ୍ବର ୬ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଅବତରଣ କରିବାର ପ୍ରାୟ ୪ ଘଣ୍ଟା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରର ଭୂପୃଷ୍ଠରେ ଅନେକ ପ୍ରକାର ନୀରିକ୍ଷଣ ପାଇଁ ବାହାରିଯିବ।