ଘରେ ବନାନ୍ତୁ ତନ୍ଦୁର ମୋମୋଜ

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବଜାରରେ ଏବେ ମୋମୋଜର ଚାହିଦା ଖୁବ ବଢି ଯାଇଛି । ଅନ୍ୟ ଖାଦ୍ୟ ଅପେକ୍ଷା ମୋମୋଜ ଷ୍ଟଲ ପାଖରେ ଏବେ ଲୋକଙ୍କ ଭିଡ ଜମୁଥିବା ବେଶୀ ଦେଖାଯାଉଛି । ଛୋଟ ବଡ ସମସ୍ତଙ୍କର ଏହା ପ୍ରମୁଖ ସନ୍ଧ୍ୟା ଜଳଖିଆ ପାଲଟିଛି । କିନ୍ତୁ ବାହାର ମୋମୋଜ ଅପେକ୍ଷା ଘରେ ଏହାକୁ ପ୍ରସ୍ତୁତ କରି ଖାଇଲେ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ । ତେଣୁ ଆଜି ଆସନ୍ତୁ ତନ୍ଦୁରି ମୋମୋଜର ପ୍ରସ୍ତୁତି ବିଷୟରେ ଜାଣିବା ।

ଆବଶ୍ୟକୀୟ ସାମଗ୍ରୀ:

ମଇଦା- ଗୋଟେ କପ , ବନ୍ଧା କୋବି – ୨ କପ (କଟା ଯାଇଥିବା) , ଗାଜର ଅଧକପ , ସିମ୍ଲା , ଲଙ୍କା ଅଧା କପ , ଧନିଆ ପତ୍ର , ତେଲ , କଞ୍ଚା ଲଙ୍କା- କିଛି , ଅଦା , ଲୁଣ , ଦହି-ଅଧା କପ , ବେସନ- ୨ ଚାମଚ , ହଳଦୀ ଗୁଣ୍ଡ , ଧନିଆ ଗୁଣ୍ଡ , ଗରମ ମସଲା- ଅଳ୍ପ , ଲହୁଣୀ

ପ୍ରସ୍ତୁତ ପ୍ରଣାଳୀ: ସର୍ବ ପ୍ରଥମେ ଏକ ପାତ୍ରରେ ମଇଦା, ତେଲ ଓ ପାଣିକୁ ଭଲ ଭାବେ ମିକସ କରି ଏକ ଗୋଳା ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରାୟ ଅଧ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏବେ କଟାଯାଇଥିବା ବନ୍ଧା କୋବି, ଗାଜର, ସିମ୍ଲା ଲଙ୍କା, ଅଦାରେ କଞ୍ଚା ଲଙ୍କା ଓ ଲୁଣ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଅଟା ଗୋଳାରେ ଛୋଟ ଛୋଟ ରୁଟି ପ୍ରସ୍ତୁତ କରନ୍ତୁ । ପରିବା ମିଶ୍ରଣକୁ ସେଥିରେ ଭର୍ତ୍ତି କରି ଭଲ କରି ବନ୍ଦ କରି ଦିଅନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ଦହି ଓ ବେସନର ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ସେଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲହୁଣୀ, ଗରମ ମସଲା ଭଲଭାବେ ମିକ୍ସ କରିଦିଅନ୍ତୁ । ଏବେ ଗୋଟେ ଗୋଟେ କରି ପ୍ରସ୍ତୁତ ହୋଇଥିବା ମୋମୋଜକୁ ବୁଡାଇ ଦିଅନ୍ତୁ । ଏବେ ଏହାକୁ ଗୋଟେ ଗୋଟେ କରି ତନ୍ଦୁରି ଚୁଲାରେ ଗୋଲଡେନ ବ୍ରାଉନ ହେବା ପର୍ୟ୍ୟନ୍ତ ସେକି ଦିଅନ୍ତୁ । ଏବେ ସସ କିମ୍ବା ଚଟଣି ସହ ଗରମ ଗରମ ପରଶନ୍ତୁ ତନ୍ଦୁରି ମୋମୋଜ ।