କରୋନା ସଂକ୍ରମଣକୁ ନେଇ ଆଇଓସିଏଲ ଓ ଏଲଆଣ୍ଡଟି ବିରୋଧରେ ଠିଆ ହୋଇଛନ୍ତି ବିଜେପି, ବିଜେଡି

ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ: ପାରାଦ୍ବୀପରେ କରୋନା ବ୍ୟାପିବାକୁ ନେଇ ଆଇଓସିଏଲ ଓ ଏହାର ଠିକା ସଂସ୍ଥା ଏଲ୍ ଆଣ୍ଡ୍ ଟି ବିରୋଧରେ ରାସ୍ତାକୁ ଓହ୍ଲାଇଛି ପାରାଦ୍ବୀପ ବିଜେଡି ଓ ବିଜେପି । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଜେଡି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଓ ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଭିଯୋଗ ହେଉଛି କି, ଆଇଓସିଏଲ ଓ ଏଲ୍ ଆଣ୍ଡ୍ ଟି କମ୍ପାନୀ ଯୋଗୁଁ ପାରାଦ୍ବୀପରେ କରୋନା କାୟା ବିସ୍ତାର କରିଛି । ଏହି ଠିକା ସଂସ୍ଥା ବାହାର ରାଜ୍ୟର ଲୋକଙ୍କୁ ଆଣି ପାରାଦ୍ବୀପର ବିଭିନ୍ନ ସ୍ଥାନରେ ରଖି କାମ କରାଉଛି, ଯେଉଁମାନେ କି କରୋନା ଆକ୍ରାନ୍ତ ବାହାରୁଛନ୍ତି । ଏହି ବାହାର ରାଜ୍ୟର ଶ୍ରମିକମାନେ ସରକାରୀ କଟକଣା ନ ମାନି ଏଣେ ତେଣେ ବୁଲୁଛନ୍ତି । ଫଳରେ ପାରାଦ୍ବୀପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ଏହି ସବୁ କାରଣ ପାଇଁ ଆଇଓସିଏଲ କୁ ସମ୍ପୂର୍ଣ୍ଣ ଦାୟୀ କରିଛି ପାରାଦ୍ବୀପ ବିଜେଡି ।

ଆଇଓସିଏଲ ର ଏହି ବେପରୁଆ ମନୋଭାବ ପାଇଁ ଆଇଓସିଏଲ ୧୦୦ କୋଟି ର ଆର୍ଥିକ ଦଣ୍ଡ କରାଯାଇ ଉକ୍ତ ଅର୍ଥ କୁ ପାରାଦ୍ବୀପ ଓ କୁଜଙ୍ଗ ଅଞ୍ଚଳରେ କରୋନା ମୁକାବିଲା ରେ ଖର୍ଚ୍ଚ କରାଯାଉ। ଏଲ୍ ଆଣ୍ଡ୍ ଟି କମ୍ପାନୀ କୁ ପାରାଦ୍ବୀପରେ କଳା ତାଲିକା ଭୁକ୍ତ କରାଯିବା ସହିତ, ପାରାଦ୍ବୀପ ଓ କୁଜଙ୍ଗ ଅଞ୍ଚଳକୁ ଆଇଓସିଏଲ ସାନିଟାଇଜ କରିବା ପାଇଁ ବ୍ୟବସ୍ଥା କରିବା, ଏମାନଙ୍କ ଯୋଗୁଁ କରୋନା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଓ ମୃତ୍ୟୁ ହେଲେ ପରିବାରକୁ କୋଟିଏ ଟଙ୍କା ପ୍ରଦାନ କରାଯିବା ଆଦି ୧୧ ଦଫା ଦାବୀ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହିପରି ପାରାଦ୍ବୀପ ବିଜେପି ପକ୍ଷରୁ ମଧ୍ୟ ଏଲ୍ ଆଣ୍ଡ୍ ଟି କମ୍ପାନୀ ବିରୁଦ୍ଧରେ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ କରାଯାଇଛି । ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀ ଏହି ବିକ୍ଷୋଭ ରେ ଯୋଗ ଦେବା ସହିତ ଏଲ୍ ଆଣ୍ଡ୍ ଟି କମ୍ପାନୀ ଅଧିକାରୀ ରାମାନନ ନରସିହମ ଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି ।