କରୋନା ଭାଇରସ୍ ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧୭୦ ଛୁଇଁଲା

ବେଜିଙ୍ଗ୍‌: ପଡୋଶୀ ରାଷ୍ଟ୍ର ଚୀନ୍‌ରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ଆଜି ୧୭୦ରେ ପହଞ୍ଚିଥିବାବେଳେ ୭୭୦୦ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିସନ୍‌ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଭାଇରସ ସଂକ୍ରମଣ ଯୋଗୁଁ ଅନ୍ୟୂନ ୧, ୩୭୦ ଜଣ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୧୨, ୧୬୭ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ବେଜିଙ୍ଗ୍‌ରେ ଏହି ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ହୋଇଥିବା ବେଳେ ସାଙ୍ଘାଇରେ ମଧ୍ୟ ୧୦୦ ରୁ ଅଧିକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। କେନ୍ଦ୍ରୀୟ ଚୀନ୍‌ ପ୍ରଦେଶ ହୁବେଇ ଏବଂ ଏହାର ରାଜଧାନୀ ଉହାନ୍‌ରେ ମୃତ୍ୟୁସଂଖ୍ୟା ୧୬୦ ଟପି ଯାଇଥିବା ଖବର ମିଳିଛି। ସମଗ୍ର ବିଶ୍ୱର ୧୬ଟି ଦେଶକୁ କରୋନାଭାଇରସ୍‌ ବ୍ୟାପୀ ଯାଇଥିବାବେଳେ ‘ଓ୍ଵାର୍ଲଡ୍‌ ହେଲ୍‌ଥ୍‌ ଅର୍ଗାନାଇଜେସନ୍‌’ର ଜରୁରୀକାଳୀନ ମୁଖ୍ୟ କହିଛନ୍ତି ଯେ ଭୂତାଣୁ ଚୀନ୍‌ ବାହାରେ ସଂକ୍ରମଣ ହେବା ବଡ଼ ଚିନ୍ତାର ବିଷୟ।