ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଅକାଳୀ ଦଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ ଆଜି ପଞ୍ଜାବର ଶିରୋମଣୀ ଅକାଳି ଦଳ ବି ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଦଳର ଅଧ୍ୟକ୍ଷ ସୁଖବୀର ବାଦଲ କହିଛନ୍ତି କି, ରାଜନୈତିକ ବିଚାରକୁ ଅଲଗା ରଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦଳ ନିଷ୍ପତ୍ତି କରିଛି। ଏନେଇ ଦଳ ମଧ୍ୟରେ ୩ ଘଂଟା ଧରି ବିଚାର ବିମର୍ଷ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୁଖବୀର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ଦ୍ରୌପଦୀ ମୁର୍ମୁ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖବୀରଙ୍କୁ ଫୋନ କରି ସମର୍ଥନ ମାଗିଥିଲେ ବୋଲି ସୁଖବୀର କହିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେବା ନେଇ ସୁଖବୀର କହିଛନ୍ତି କି, ଅକାଳୀ ଦଳ କେବେ ବି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନାହିଁ। ଏନେଇ କାରଣ ଭାବେ ସେ କହିଛନ୍ତି ଯେ କଂଗ୍ରେସ ଶିଖ୍ ବିରୋଧୀ। ଏହି କାରଣରୁ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସୁଖବୀର ସ୍ପଷ୍ଟ କରିଛନ୍ତି।