ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଜୋରଧରିଛି ଚର୍ଚ୍ଚା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ଦେଢ ବର୍ଷ ହେବାକୁ ବସିଛି । ଏବେ ମନ୍ତ୍ରୀ ମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଚର୍ଚ୍ଚା । ୪ଟି ପାଳିରେ ମୁଖ୍ୟମନ୍ତ୍ରୀ କାହାରିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ନ ଥିବା ବେଳେ କୁହାଯାଉଛି, ଆଗକୁ ହେବାକୁ ଥିବା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ଉପମୁଖ୍ୟମନ୍ତ୍ରୀ ପଦର ସୃଷ୍ଟି ହେବ । ଆଉ ଏହି ପଦ ମିଳିବ ସରକାରୀ ଦଳର କ୍ଷମତା କେନ୍ଦ୍ର କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ । ୪ଟି ପାଳିରେ ଏହି ପଦ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ସନ୍ଦେହ ଥିଲେ ମଧ୍ୟ ପଦ ସୃଷ୍ଟିହେଲେ ତାହା ବବିଙ୍କୁ ହିଁ ମିଳିବା ନିଶ୍ଚିତ । କାରଣ ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ବବିଙ୍କ ଅବଦାନ ଅତୁଳନୀୟ । କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସମ୍ଭବ ହୋଇଛ ବବିଙ୍କ କର୍ମତତ୍ପରତା, ଶୃଙ୍ଖଳାଗତ ଓ ଆଦର୍ଶଗତ ଅନୁଶାସନ ତଥା ଆତ୍ମୀୟ ଆଚରଣ ପାଇଁ ି । ଏହା ବ୍ୟତୀତ ବିଭିନ୍ନ ସମୟରେ ଦଳରେ ସୃଷ୍ଟି ହେଉଥିବା ସଂକଟ ଦୂର କରିବାରେ ବବି ପାରଙ୍ଗମ । ୨୦୧୯ ନିର୍ବାଚନ ସମୟରେ ଟିକେଟ ବଣ୍ଟନଠାରୁ ପ୍ରଚାର କାର୍ଯ୍ୟରେ ନେତାଙ୍କ କାର୍ଯ୍ୟ ବଣ୍ଟନ, ଆର୍ଥ ଆବଣ୍ଟନ ସବୁ ତାଙ୍କ ଦିଗ୍ଦର୍ଶନରେ ସମ୍ଭବ ହୋଇଥିଲା । କେବଳ ଦଳର ସାଂଗଠନିକ କାର୍ଯ୍ୟରେ ସେ ନିପୁଣତା ହାସଲ କରିଛନ୍ତି ତାହା ନୁହେଁ, ସେ ମଧ୍ୟ ନିଜ ଅଞ୍ଚଳର ଲୋକଙ୍କ ନିକଟରେ ସଦା ସର୍ବଦା ରହିଛନ୍ତି । ଲୋକଙ୍କ ସୁଖ ଦୁଃଖରେ ସର୍ବଦା ଠିଆ ହୋଇଛନ୍ତି । ସେ ଦଳରେ ଥିବା ସମସ୍ତ ବିଧାୟକଙ୍କ ମଧ୍ୟରେ ଏକମାତ୍ର ବିଧାୟକ, ଯାହାଙ୍କ ନାମରେ ଏପର୍ଯ୍ୟନ୍ତ କୌଣସି ବିବାଦ ନାହିଁ କିମ୍ବା ଯାହାଙ୍କଠାରେ କୌଣସି ଦାଗ ଲାଗିନାହିଁ । ସର୍ବୋପରେ ସେ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ଓ ବିଶ୍ୱସ୍ଥ । ତେଣୁ ଯଦି ଉପମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି ହୁଏ, ସେହି ପଦ ପାଇଁ ବବି ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି ଦଳୀୟ କର୍ମକର୍ତ୍ତା କୁହନ୍ତି ।