ଖୋର୍ଦ୍ଧା: ଗତ କିଛି ଦିନ ତଳେ ଏକ ଭାଇରାଲ ଭିଡିଓରେ ଭାଇକୁ ଆକୁଳ ନିବେଦନ କରୁଥିବା ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ଯୁବତୀଙ୍କୁ ଉତ୍ତରପ୍ରଦେଶର ଆହ୍ଲାବାଦରୁ ଉଦ୍ଧାର କରାଯାଇଛି । ବାଣପୁର ପୁଲିସର ଉଦ୍ୟମରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।
କିଛି ଦିନ ତଳେ ଜଣେ ଯୁବତୀ ଭିଡିଓ ଭାଇରାଲ କରି ତାଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିଲେ । ସେ ଆଉ ନିର୍ଯାତନା ସହ୍ୟ କରି ପାରୁନାହାନ୍ତି, ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସେ ତାଙ୍କ ଭାଇଙ୍କ ଉଦ୍ଦେଶ୍ୟରେ ଭିଡିଓଟି କରିଥିଲେ । ସେହି ଭିଡିଓ ଆଧାରରେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ବାଣପୁର ଥାନା ପୁଲିସ ଓ ଖୋର୍ଦ୍ଧା ସାଇବର ସେଲର ଏକ ଟିମ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ ଓ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।
ସୂଚନାନୁଯାୟୀ, ଅଭିନାଶ ସିଂ ନାମକ ଜଣେ ଯୁବକ ଯୁବତୀଙ୍କ ସହ ଫେସବୁକରେ ସାଙ୍ଗ ହେବା ସହ ତାଙ୍କୁ ହିମାଚଳପ୍ରଦେଶରେ କାମ ଦେବାକୁ କହିଥିଲେ । କାମ ଆଶାରେ ଯୁବତୀ ଅଭିନାଶଙ୍କ କହିବା ଅନୁଯାୟୀ ଉତ୍ତର ପ୍ରଦେଶ ଯାଇଥିଲେ । ସେଠାରେ ଅଭିନାଶ ଯୁବତୀଙ୍କୁ ଚାକିରି ଦେବା ନାମରେ ନାନା ନିର୍ଯାତନା ଦେଇଥିଲା ।