ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ-: ଖୁବଶୀଘ୍ର ଭାରତୀୟ ସେନା ନେବ ପହଲଗାମ ଆକ୍ରମଣର ପ୍ରତିଶୋଧ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍ । ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାର ହାତ ଖୋଲି ଦେଇଛନ୍ତି ସରକାର । ଯେକୌଣସି ସମୟରେ, ଯେକୌଣସି ପ୍ରକାରେ ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ସବୁର ନିଷ୍ପତ୍ତି ନେବାକୁ ସେନାକୁ ମିଳିଛି ପୂର୍ଣ୍ଣ କ୍ଷମତା । ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ରାଷ୍ଟ୍ରୀୟ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେନାକୁ ଯୁଦ୍ଧ ପାଇଁ ପ୍ରଧାନମନ୍ତ୍ରୀଙ୍କ ସବୁଜ ସଙ୍କେତ ପାକିସ୍ତାନର ନିଦ ହଜାଇ ଦେଇଛି ।

ସେହି ଭୟରେ ପାକିସ୍ତାନର ମନ୍ତ୍ରୀ ଥରହର ହେବ ସହିତ ରାତିରେ ଶୋଇପାରୁନାହାନ୍ତି । ବିଳମ୍ବିତ ରାତିପାଖାପାଖି ସାଢେ ୧ଟା ବେଳେ ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ସେ କହିଛନ୍ତି ଆମ ପାଖରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅଛି ଯେ ଭାରତୀୟ ସେନା ଆଗାମୀ ୨୪-୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ । ସେ ଏହା ମଧ୍ୟ କହିଛନ୍ତି, କୌଣସି ନିରପେକ୍ଷ ତଦନ୍ତ ପରିବର୍ତ୍ତେ, ଭାରତ ସିଧାସଳଖ ସାମରିକ ପଥ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି, ଯାହା ଆଞ୍ଚଳିକ ଶାନ୍ତି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ପାକିସ୍ତାନ ସରକାର ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହାୟତାରେ ଏହି ମାମଲାରେ ଏକ ନିରପେକ୍ଷ, ସ୍ବାଧୀନ ତଦନ୍ତ ପ୍ରସ୍ତାବ ଦେଇଛନ୍ତି । ତଥାପି ଭାରତ ଏହାକୁ ଗ୍ରହଣ କରିନାହିଁ ଏବଂ ମୁକାବିଲାର ପଥ ବାଛିଚି ।

ଉଚ୍ଚସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସନ୍ଧ୍ୟାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍‌) ମୁଖ୍ୟ ମୋହନ ଭାଗବତ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭେଟିଥିଲେ । ଭାଗବତଙ୍କ ସହ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୨ ଆକ୍ରମଣ ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି । ପହଲଗାଓଁ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାଗବତ ଆହ୍ବାନ ଦେଇଥିଲେ । ଗତ ସପ୍ତାହରେ ଏକ ସଭାକୁ ସମ୍ବୋଧନ କାଳରେ ମୋହନ ଭାଗବତ ପରୋକ୍ଷରେ କହିଥିଲେ ଯେ, ନିଜର ନାଗରିକଙ୍କୁ ସୁରକ୍ଷା ଦେବା ହେଉଛି ଜଣେ ରାଜାର କର୍ତ୍ତବ୍ୟ । ଆଉ ଏହି କାର୍ଯ୍ୟକୁ ଜଣେ ରାଜା ନିଶ୍ଚିତ ସମ୍ପାଦନ କରିବା ଜରୁରୀ । ଭାଗବତ କହିଥିଲେ ଯେ ଆ​‌ମେ ଆମର ପଡୋଶୀଙ୍କୁ କେବେହେଲେ କ୍ଷତି ପହଞ୍ଚାଇ ନାହୁଁ । ଯଦି କୌଣସି ପଡୋଶୀ ଆମକୁ କ୍ଷତି ପହଞ୍ଚାଏ ତେବେ ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ ।