ପାରାଦ୍ବୀପ/ ପ୍ରଶାନ୍ତ କୁମାର ସ୍ବାଇଁ : ସମ୍ପ୍ରତି ମହାମାରୀ କରୋନା କବଳରେ ଆମେରିକାଠାରୁ ଆରମ୍ଭ କରି ବିଶ୍ୱର ପ୍ରାୟ ୨୧୦ଟି ରାଷ୍ଟ୍ର । ଏହି ଭୂତାଣୁ ସହ ଚାଲିଥିବା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି କାମ କରୁଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପୁଲିସ । ଏହି କରୋନା ଯୋଦ୍ଧାଙ୍କୁ ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ ସେମାନଙ୍କ ତ୍ୟାଗ ପାଇଁ ସମ୍ମାନ ଦିଆଯାଇଛି। ଗତକାଲି କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଦୁଇ ଘଣ୍ଟା ପର୍ୟ୍ୟନ୍ତ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ଆଲୋକିତ କରାଯିବା ସହିତ ରଙ୍ଗୀନ ଲାଇଟ ଫାୟାର କରାଯାଇଥିଲା। ଓଡିଶା ସମୁଦ୍ରରେ ନିୟୋଜିତ ଥିବା କୋଷ୍ଟଗାର୍ଡର ତିନୋଟି ଜାହାଜ ଆଇଏନଏସ ସୁଜୟା, ଆଇଏନଏସ ବିଜୟା ଓ ଆଇଏନଏସ ବରୋଦା ଏହି ତୋପ ସଲାମୀ ରେ ସାମିଲ ହୋଇଥିଲା। ଆଇଏନଏସ ସୁଜୟା ପାରାଦ୍ବୀପ ବେଳାଭୂମି ନିକଟ ସମୁଦ୍ରରେ ରଙ୍ଗୀନ ତୋପ ସଲାମୀ ଦେଇଥିବା ବେଳେ ଆଇଏନଏସ ବିଜୟା ପୁରୀ ସମୁଦ୍ର ଓ ଆଇଏନଏସ ବରୋଦା ହଳଦିଆ ବନ୍ଦର ନିକଟରେ ଥାଇ ତୋପ ସଲାମୀରେ ସାମିଲ ହୋଇଥିଲା। ତୋପ ସଲାମୀ ସମୟରେ କୋଷ୍ଟଗାର୍ଡର ଅଫିସରମାନେ ତାଳି ମାରି କରୋନା ଭାଇରସ୍ ବିପକ୍ଷରେ ଲଢୁଥିବା ସମସ୍ତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ।