ଆସାମରେ ବନ୍ୟା ବିଭୀଷିକା

ଜଳବନ୍ଦୀରେ ୨୯ ଲକ୍ଷ ଲୋକ ଭୂସ୍ଖଳନ ଯୋଗୁ ନାହିଁ ନଥିବା କ୍ଷୟକ୍ଷତି

ଗୌହ୍ୱାଟୀ: ଆସାମରେ ବନ୍ୟା ବିଭୀଷିକା ଲାଗି ରହିଛି। ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ନାହିଁ ନଥିବା କ୍ଷତି ଘଟିଛି। ମୋରିଗାଁ ଜିଲ୍ଲାର ପାହାଡ଼ଇଆ ଅଞ୍ଚଳରେ ଥିବା ଜନବସତିରେ ଭୂସ୍ଖଳନ ଯୋଗୁଁ ବହୁ ଘରଦ୍ୱାର ନଷ୍ଟ ହୋଇଛି। ଫଳରେ ଲୋକମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ପ୍ରଭାବିତ ହେଲେଣି। ଗତ ୨୪ ଘଣ୍ଟାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି। ବନ୍ୟା ପ୍ରଭାବରେ ୩୬ ଜଣ ନିଖୋଜ ହୋଇଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚାଚାର ଜିଲ୍ଲା ହେଡକ୍ୱାର୍ଟର ସିଲଚର ସହର ଏବେ ବି ଜଳମଗ୍ନ ହୋଇ ରହିଛି। ସେହିପରି କ୍ଷୟକ୍ଷତିର ଆକଳନ ପାଇଁ ଗୃହ ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୨ ଭାଗରେ ବିଭକ୍ତ ହୋଇ ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ବନ୍ୟାଞ୍ଚଳରେ ବୁଲି ବୁଲି କ୍ଷୟକ୍ଷତି ଦେଖୁଛନ୍ତି। ଏହାସହ ବନ୍ୟାପ୍ଳାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହାଛଡା ବ୍ରହ୍ମପୁତ୍ର ନଦୀର ଶାଖା ନଦୀ ଗୁଡିକ ଯଥା କୋପାଲି, ଦିଶାଙ୍ଗ ଭଳି ନଦୀ ମଧ୍ୟ ଜଳ ବିଭୀଷିକା ସହିତ ବିପଦସଙ୍କୁଳ ରହିଛି। ତେବେ କେନ୍ଦ୍ରୀୟ ଟିମ୍ ବନ୍ୟା ପ୍ରଭାବିତଙ୍କୁ ଭେଟିବା ସହ ପଞ୍ଚଗ୍ରାମ ରିଲିଫ କ୍ୟାମ୍ପରେ ପହଞ୍ଚିଥିଲେ।