ଆରମ୍ଭ ହେଲା ପ୍ରସିଦ୍ଧ ହରଗୌରୀ ଯାତ୍ରା

(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ହରଗୌରୀ ଯାତ୍ରା। ପ୍ରତିବର୍ଷ ଅନ୍ତରରେ ସହରର ଢେରାପଡାରେ ରହୁବା ତେଲୁଗୁ ସମ୍ପ୍ରଦାୟ(ଜେରା)ଙ୍କ ଦ୍ବାରା ଏହି ପର୍ବ ଆୟୋଜିତ ହୋଇଥାଏ। ଜିଲାର ଇଷ୍ଟ ଦେବତା ସୁବର୍ଣ୍ଣମେରୁଙ୍କ ନିଜସ୍ବ ଜମିରୁ ଧାନ ଗଛକୁ ଗୌରୀ ରୂପରେ ବରଣ କରାଯାଇଥିଲା। ପୂଜାର୍ଚ୍ଚନା ପରେ ପରମ୍ପରା ଅନୁଯାୟୀ ପଟୁଆରରେ ଘଣ୍ଟ, ଶଙ୍ଖ, ଭେରୀ, ତୁରୀ ଓ ବିଭିନ୍ନ ବାଦ୍ୟ ସହ ଢେରାପଡାର ଅବିବାହିତ ଯୁବକ ସ୍ଵାଗତମ ପାତ୍ର ଏକ ବଡ ଥାଳ ମଧ୍ୟରେ ଦେବୀଙ୍କୁ ସ୍ଥାପନ କରି ମୁଣ୍ଡରେ ମାଙ୍କୁ ପରିକ୍ରମଣ କରିଥିଲେ। ଗୌରୀଙ୍କୁ ବୁଢୀମାଁ ମନ୍ଦିର ପ୍ରାଙ୍ଗଣରେ ଥିବା ପୂଜା ମଣ୍ଡପକୁ ଆଣିବା ସମୟରେ ସହରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜ ଘର ସମ୍ମୁଖରେ କଳସ ଓ ଜାଗର ଜାଳି ଦେବୀଙ୍କୁ ସ୍ବାଗତ କରିଥିଲେ । ପୂଜା ମଣ୍ଡପରେ ଦେବୀ ଗୌରୀଙ୍କ ବିଜେ ପରେ ଆନୁଷ୍ଠାନିକ ଭାବରେ ପୂଜା ଆରମ୍ଭ ହୋଇଛି। ଏଥପାଇଁ ଢେରାପଡାର ସମସ୍ତ ସାହିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଏହି ଯାତ୍ରା ୨୭ତାରିଖ ପର୍ୟ୍ୟନ୍ତ ଚାଲିବ। ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ପାଳନ କରା ଯାଇଥିବା ଯାନିଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରାର ଏକ ବିଶେଷତ୍ଵ ରହିଛି। ଏହି ଯାତ୍ରାକୁ ଗୌରାତ୍ମା ସାମ୍ରାକୁ ମଧ୍ୟ କୁହାଯାଏ। ଚଳିତ ବର୍ଷ କୋଭିତ କଟକଣାକୁ ଦୃଷ୍ଟିରେ ରଖ୍ କେବଳ ନୀତିକାଟିରେ ନିରାଡମ୍ବର ଭାବେ ଯାତ୍ରା ଅନୁଷ୍ଠିତ ହେବ ବୋଲି ଯାତ୍ରା ପରିଚାଳନା କମିଟି ସଭାପତି ଦିଲ୍ଲିପ ପାତ୍ର ଓ ସମ୍ପାଦକ ଜନ୍ମେଜୟ ପାତ୍ର ସୂଚନା ଦେଇଛନ୍ତି।