ଆଜି ଶ୍ରୀ ଜିଉଙ୍କ ପଇତାଲାଗି ନୀତି , ୪ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

(ରିପୋର୍ଟସ ଟୁଡ଼େ): ଆଜି ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିବ । ଏଥି ନିମନ୍ତେ ଶ୍ରଦ୍ଧାଳୁମାନେ ୪ ଘଂଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ନୀତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ।

ଦଇତାପତି ସେବକମାନେ ଭୋଗମଣ୍ଡପରେ ଏହି ନୀତି କରିବେ । ସେଥିଲାଗି ସଂଧ୍ୟା ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ଆସନ୍ତାକାଲି ବନକଲାଗି ନୀତି ଅନୁଷ୍ଠିତ ହେବ । ସିଂହାରୀ ସେବକମାନେ ଏହି ନୀତି ସଂପାଦନ କରିବେ । ଏହି ନୀତି ମଧ୍ୟ ସଂଧ୍ୟା ୫ରୁ ୯ଟା ଭିତରେ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ଅନେକ ସମୟରେ ଏହିଭଳି ବନକଲାଗି ଅନୁଷ୍ଠିତ ହୋଇଥାଏ । ଦୁଇଟି ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଂଚିତ ହେବେ । ମାତ୍ର ବେଢ଼ା ପ୍ରରିକ୍ରମା କରିବା ସହିତ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।