(ପ୍ରଶାନ୍ତ କୁମାର ସ୍ୱାଇଁ/ପାରାଦ୍ୱୀପ): ପାରାଦ୍ୱୀପକୁ ଗତ ୧୨ ଦିନ ତଳେ ଜିଲ୍ଲା ପ୍ରଶାସନ କରୋନା ମୁକ୍ତ ଘୋଷଣା କରିଥିବା ବେଳେ ଏବେ ଏଠାକାର ଶ୍ରମିକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଆଇଓସିଏଲ କମ୍ପାନୀ। ବାହାର ରାଜ୍ୟରୁ ଶ୍ରମିକମାନଙ୍କୁ ଆଣି କମ୍ପାନୀ ଏଠାରେ ବିଭିନ୍ନ କାର୍ୟ୍ୟରେ ନିୟୋଜିତ କରୁଥିବା ବେଳେ ଏହି ଶ୍ରମିକମାନେ କରୋନା କଟକଣାକୁ ଖାତିର୍ କରୁନାହାନ୍ତି । ଫଳରେ ଆଇଓସିଏଲରେ କାର୍ୟ୍ୟରତ ଅନ୍ୟ ଶ୍ରମିକଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଦେଖାଦେଇଛି। ଅନ୍ୟ ପକ୍ଷରେ ଆଇଓସିଏଲ ପକ୍ଷରୁ ଶ୍ରମିକ ମାନଙ୍କୁ ସାନିଟାଇଜର, ମାସ୍କ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । କମ୍ପାନୀ ବାହାର ରାଜ୍ୟରୁ ସଂକ୍ରମିତ ଶ୍ରମିକଙ୍କୁ ଆଣି କାର୍ୟ୍ୟରେ ନିୟୋଜିତ କରିବା ଫଳରେ ସ୍ଥାନୀୟ ଶ୍ରମିକଙ୍କୁ ମଧ୍ୟ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ସଂଗରୋଧରେ ରହିବା ଓ କରୋନାରେ କୌଣସି ଶ୍ରମିକଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ଆଇଓସିଏଲ ପକ୍ଷରୁ ରାଜ୍ୟ ସରକାର ଘୋଷଣା କରିଥିବା ସହାୟତା ରାଶି ପ୍ରଦାନ ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶ୍ରମିକ ସଂଗଠନ । ମାତ୍ର ଆନ୍ଦୋଳନ ସମ୍ପର୍କରେ ପୂର୍ବରୁ ସଂଗଠନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । ଆନ୍ଦୋଳନ ବେଳେ ସାମାଜିକ ଦୂରତା ରକ୍ଷା କରାଯାଇନଥିବାରୁ ଶ୍ରମିକ ସଙ୍ଗଠନକୁ କୋଭିଡ-୧୯ ଓ ୧୪୪ ଧାରା ଉଲଂଘନ ଅଭିଯୋଗରେ ନୋଟିସ୍ କରାଯିବ ବୋଲି ଜଗତସିଂହପୁର ଏସପି ପ୍ରକାଶ କରିଛନ୍ତି। ସେହିପରି ଶ୍ରମିକଙ୍କ ଦାବି ସମ୍ପର୍କରେ ଆଇଓସିଏଲ କର୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି, ଯଦି ଆସନ୍ତା କାଲି ସୁଦ୍ଧା ଦାବି ପୂରଣ କରା ନଯାଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରମିକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।