(ରିପୋଟର୍ସ ଟୁଡେ): ନିୟମ ସମସ୍ତଙ୍କ ପାଇଁ ସମାନ । ଏହା ପ୍ରମାଣ କରି ଦେଖାଇଛନ୍ତି ଗୁଜୁରାଟର ମହିଳା କନଷ୍ଟେବଲ ସୁନୀତା । ଏଥିପାଇଁ ତାଙ୍କୁ ଚାକିରୀରୁ ଇସ୍ତଫା ମଧ୍ୟ ଦେବାକୁ ପଡିଛି । କିନ୍ତୁ ତାଙ୍କ କାମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କରୋନା ପାଇଁ ଗତ ବୁଧବାର ଗଜୁରାଟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଥିଲା । କିନ୍ତୁ ଏହାକୁ ବେଖାତିର କରି ସେଠାକାର ବିଜେପି ନେତା କୁମାର କନାନୀଙ୍କ ପୁଅ ପ୍ରକାଶ ଓ ତାଙ୍କର ୨ ସାଙ୍ଗ ଗାଡି ଧରି ରାସ୍ତାରେ ବୁଲୁଥିଲେ । ଯେଉଁ ଗାଡିରେ ବୁଲୁଥିଲେ ସେଥିରେ ‘ବିଧାୟକ’ ଲେଖା ହୋଇଥିଲା । ସେମାନେ ମାସ୍କ ମଧ୍ୟ ପିନ୍ଧି ନଥିଲେ । ଏହି ସମୟରେ ସେଠାରେ ରାତି ଡ୍ୟୁଟି କରୁଥିଲେ ମହିଳା କନେଷ୍ଟବଲ ସୁନୀତା ଯାଦବ । ପୋଲିସକୁ ଦେଖିବା ପରେ ସମସ୍ତେ ତରତରରେ ମାସ୍କ ପିନ୍ଧି ପକାଇଥିଲେ । ଏହା ଦେଖି ସେମାନଙ୍କୁ ଅଟକାଇଥିଲେ ସୁନୀତା । କିନ୍ତୁ ସେମାନେ ଭୁଲ ସ୍ୱୀକାର କରିବା ବଦଳରେ ସୁନୀତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏପରିକି ଧମକ ମଧ୍ୟ ଦେଇଥିଲେ । ଏହାକୁ ଖାତିର ନ କରି ସୁନୀତା ବିଧାୟକଙ୍କୁ ଫୋନ ଲଗାଇ ପଚର୍ାଉଚରା କରିଥିଲେ । ଦୀର୍ଘ ସମୟର ଯୁକ୍ତିତର୍କ ପରେ ସେ ତାଙ୍କର ଚାକର ନୁହେଁ ବୋଲି ସୁନୀତା ଉକ୍ତ ବିଧାୟକଙ୍କୁ କହିଥିଲେ । ମାତ୍ର ସେଦିନର ଘଟଣା ପରେ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ଏଥିରେ ଅପମାନିତ ମନେ କରି ସୁନୀତା ନିଜ ଚାକିରୀରୁ ଇସ୍ତଫା ଦେଇଛନ୍ତି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ରବିବାର ଦିନ ମନ୍ତ୍ରୀଙ୍କ ପୁଅ ଓ ତାଙ୍କର ଦୁଇ ବନ୍ଧୁଙ୍କୁ ଗିରଫ କରାଯାଇଥିଲେ ବି ପରେ ଜାମିନରେ ଛାଡି ଦିଆଯାଇଥିଲା । ଏବେ ସୁରଟ ପୋଲିସ କମିଶନର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।