(ଗୋଲାପ ସାହୁ)କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ପଣ୍ଡି ଗାଁରେ ଅବାଧରେ ଜୁଆ ଓ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏନେଇ ଆଜି କଲମପୁର ବ୍ଳକ ଠାରେ ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ପଣ୍ଡିଗାର ମହିଳା ସଂଘ ଓ ଗ୍ରାମପଞ୍ଚାୟତର ଜନସାଧାରଣ ଜିଲାପାଳ କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ମଦ କାରବାର ଯୋଗୁଁ ଗ୍ରାମର ବହୁ ଯୁବକ,ନାବାଳକ ନିଶା ସେବନ କରି ବିପଦଗାମୀ ହେଉଥିବା ବେଳେ ଘରେ ଘରେ କଳିକଜିଆ ହୋଇ ମାରପିଟ ମଧ୍ୟ ହେଉଛି। ଏ ସମ୍ପର୍କରେ ଗ୍ରାମବାସୀ ଅନେକ ଥର ବ୍ଳକ ଓ ପୋଲିସ ପ୍ରଶାସନକୁ କହିଆସୁଥିଲେ ମଧ୍ୟ ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି। ଶତାଧିକ ମହିଳା ପଦଯାତ୍ରା କରି ଜିଲାପାଳ କୁ ଏକ ଦାବିପତ୍ର ପ୍ରଦାନ କରି ଯଥାଶୀଘ୍ର ପଣ୍ଡି ଗାଁ ଗ୍ରାମପଞ୍ଚାୟତକୁ ନିଶାମୁକ୍ତ କରି ଏକ ସୁସ୍ଥ ଗ୍ରାମପଞ୍ଚାୟତ କରିବାକୁ ଅନୁରୋଧ କରିଛନ୍ତି। ସମିତିର ସହକାରୀ ଯନ୍ତ୍ରୀ ଏ. ସି. ମହାଳିକ, ଜିପିଇଓ କରୁଣାକର ବାଗ, ସିଡିପିଓ ନିୟତିବାଲା ସୋରେନ, ପି. ଏ. ଲଖମଣ ହରିଜନ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଏହି ପ୍ରକୋଷ୍ଠରେ ଜୟପାଟଣା ପୋଲିସ ପକ୍ଷରୁ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ପ୍ରଧାନ, କଳମପୁର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ୟ୍ୟ ନିରାପତ୍ତା ରକ୍ଷାକରିଥିଲେ । ସକାଳ ୮ଟା ପୂର୍ବରୁ ଜିଲ୍ଲାପାଳ କଳମପୁର କୁ ପହଂଚି ମିନଗୁର ପଞ୍ଚାୟତ ଅଧୀନରେ ନବ ନିର୍ମିତ ଆବାସ ଗୃହ ଗୁଡିକ ବୁଲି ତଦାରଖ କରିବା ସହ ଆଦର୍ଶ ବିଦ୍ୟାଳୟର ସମସ୍ତ ସମସ୍ୟା ବୁଝି ଛାତ୍ରୀ ନିବାସ କୋଠା ସ୍ଥାନ ନିରୂପଣ କରିଥିଲେ । ସ୍କୁଲ କୋଠା ର ନିମ୍ନମାନର କାର୍ୟ୍ୟ ହୋଇଥିବା ଦେଖି ସେ ଠିକାଦାର ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀଯନ୍ତ୍ରୀ ସଂଜୀବ କେତନ ରାଉତ ରାୟକୁ ପରାମର୍ଶ ଦେଇଥିଲେ।