ସଡ଼କ ଦୁର୍ଘଟଣାକୁ ନେଇ ୪ଘଣ୍ଟା ଅଟକିଲା ଆମ୍ବୁଲାନ୍ସ

(ଦୀପକ ମିଶ୍ର)ଉଦଳା: ଏମିତି ବି ଆସେ ମୃତ୍ୟୁ। ରାଜ୍ୟ ବାହାରେ ରହି ପାଠ ପଢୁଥିବା ବେଳେ ହୋଲି ଛୁଟିରେ ଘରକୁ ଆସିଥିଲେ। ଘରୁ ସାଇକେଲ ଧରି ବୁଲିବା ନିମନ୍ତେ ଯାଇଥିବା ବେଳେ ଯୁବତୀଙ୍କୁ ଧକ୍କା ଦେଲା ବାଇକ। ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଉଦଳା ଥାନା ଅଧିନ ନାଗପାଳ ଗ୍ରାମରେ ଘଟିଛି ।
ନାଗପାଳ ଗ୍ରାମରେ ରହୁଥିବା ଦୋମଣି ପୁହାଣଙ୍କ ଝିଅ ଶ୍ରୀଦେବ ଶୁଭଦର୍ଶିନୀ ସାଇକେଲରେ ବାରିପଦା ରାସ୍ତାର ମଧୁପୁର ଛକ ପହଂଚିଥିବା ବେଳେ ସମ୍ନାରୁ ଆସି ଏକ ବାଇକ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଦୁଇ ଜଣ ଯୁବକ ସ୍ଥାନୀୟ ମେଣ୍ଢାଖାଇ ଗ୍ରାମର ସାଗର ମିରିଡ଼ିଆ ଏବଂ ରାଜେଶ ପଢିଆଳଙ୍କ ଅବସ୍ଥା ଗୁରୁତର ରହିଥିଲା । ଗୁରୁତରଙ୍କୁ ପ୍ରଥମେ ଉଦଳା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା। ହେଲେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଦୁଇ ଯୁବକଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ଉତ୍ତ୍ୟକ୍ତ ଲୋକେ ୪ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅଟକ ରଖି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ତୁରନ୍ତ ପୋଲିସ ଜବତ କରିବା ସହ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ । ତେବେ ଦୀର୍ଘ ସମୟ ପରେ ଉଦଳା ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ବାଇକକୁ ଜବତ କରି ବିଧିବଦ୍ଧ ତଦନ୍ତର ପ୍ରତିଶୃତି ପରେ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ। ଉଦଳା ବିଧାୟକ ମଧ୍ୟ ଡ଼ାକ୍ତରଖାନାରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ ନେଇ ଯାଇଥିବା ଆମ୍ବୁଲାନ୍ସକୁ ଅଟକାଇବା କେଉଁଭଳି ମାନସିକତା ।