(ସରୋଜ କୁମାର ରାଉତ)ଭୁବନେଶ୍ୱର: ‘୫-ଟି’ ସଚିବ ଭି.କେ ପଣ୍ଡିଆନ ତାରାତାରିଣୀ ପୀଠ ପରିଦର୍ଶନ ଓ ସମୀକ୍ଷା ପରେ ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପାରିପାର୍ଶ୍ୱିକ ବିକାଶ କାର୍ୟ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ୟାକେଜ ଘୋଷଣା ପରେ ଏନେଇ ଆଜି ତାରା ତାରିଣୀ ପୀଠର ସେବାୟତ ମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଦେଶର ସବୁଠୁ ପୁରୁଣା ଶକ୍ତିପୀଠ ମଧ୍ୟରେ ଅନ୍ୟତମ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ଆବଶ୍ୟକ ଡିଜାଇନକୁ ପ୍ରତିଷ୍ଠିତ ସ୍ଥପତି ନାରାୟଣ ତ୍ରିପାଠୀ ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତାରାତାରିଣୀ ପୀଠକୁ ଦେଶର ସବୁଠୁ ଆକର୍ଷୀୟ ଧାର୍ମିକ ପର୍ୟ୍ୟଟନ ସ୍ଥଳୀ କରିବା ନିମନ୍ତେ ଏହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।
ଶ୍ରଦ୍ଧାଳୁଙ୍କ ସୁବିଧା ସହ ସିଂହଦ୍ୱାର ପ୍ରବେଶ ପଥର ପୁନରୁଦ୍ଧାର, ପାନୀୟ ଜଳ ସୁବିଧା, ପାହାଡ଼ ଉପରେ ଥିବା ମନ୍ଦିର ପରିସରର ବିକାଶ ସମେତ ପ୍ରସାଦ ସେବନ ମଣ୍ଡପ, ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର, ମୁଣ୍ଡନ ହଲ ଓ ଶୌଚାଳୟ ରହିବ। ସେହିପରି ଫୁଡ୍ କିଓସ୍କୋ, ଜୋତା ଷ୍ଟାଣ୍ଡ, ପାଦଧୂଆ ସ୍ଥାନ, ପ୍ରତୀକ୍ଷା ହଲ୍ , ଭିନ୍ନକ୍ଷମଙ୍କ ଯିବାଆସିବା ନିମନ୍ତେ ସୁବିଧା, ବସିବା ପାଇଁ ବେଞ୍ଚ, ଆଶ୍ରୟ ସ୍ଥଳୀ, ୱାଚ ଟାୱାର, ପୁଲିସ ଆଉଟପୋଷ୍ଟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଧ୍ୟାନ ହଲ୍ ମଧ୍ୟ ରହିବ।