(ଅଜିତ ସାହୁ/ଜଳେଶ୍ୱର): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌଖୁଖ ଗ୍ରାମର ଏକ ଦୂର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ଗାଁର ଜଣେ ମହିଳାଙ୍କୁ ହତ୍ୟା ସାଙ୍ଗକୁ ସ୍ୱାମୀଙ୍କ ଅଚାନକ ଦୁର୍ଘଟଣା ତାଙ୍କ ଅଢେଇ ବର୍ଷର ପୁଅକୁ ଏକୁଟିଆ କରି ଦେଇଛି । ଘରେ ବୃଦ୍ଧ ଜେଜେବାପା ଓ ଜେଜେ ମଆ ଥିଲେ ବି ବୋହୁôର ମୃତ୍ୟୂ ଓ ଏକମାତ୍ର ରୋଜଗାରିଆ ପୁଅର ଦୁର୍ଘଟଣା ପରେ ଭାଙ୍ଗି ଯାଇଛନ୍ତି । କେବଳ ସେତିକି ନୁହେଁ ଅଢେଇ ବର୍ଷର ନାତି ତା ବାପା ମାଆଙ୍କୁ ପାଖରେ ନ ପାଇ କାନ୍ଦୁଥିବା ଦୃଶ୍ୟ ଦେଖି ଘଡିକୁ ଘଡି ଚେତା ହରାଉଛନ୍ତି । ପରିବାରର ଏଭଳି ଦୁର୍ଦ୍ଦଶା ଦେଖି ଗାଁରେ ବିଷାଦର ଛାୟା ଖେଳିଯାଇଛି । ଚୌମୁଖ ଗାଁର ସୋନାଲି ପାତ୍ର ଗତ କାଲି ନିଜ ପାନ ବରଜକୁ ପାଣି ମଡ଼ାଇବାକୁ ଯାଇଥିଲେ। ତେବେ ସକାଳ ୮ଟାରୁ ଯାଇ ମଧ୍ୟାହ୍ନ ୨ଟା ପର୍ୟ୍ୟନ୍ତ ଘରକୁ ଫେରି ନଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ସାଇପଡ଼ିଶା ଲୋକେ ଖୋଜା ଖୋଜି କରିଥିଲେ। ବହୁତ ଖୋଜିବା ପରେ ପାନ ବରଜ ପଛପଟୁ ତାଙ୍କ ଲୁଗା ଦେଖିବାକୁ ପାଇଥିଲେ । ସାଇପଡିଶା ଲୋକଙ୍କ ସନ୍ଦେହ ହେବାରୁ ସେଠାକୁ ଯାଇ ବାଲି ତଳୁ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅନ୍ୟପଟେ ସ୍ତ୍ରୀର ମୃତ୍ୟୁ ଖବର ପାଇ ସ୍ୱାମୀ ଜନ୍ମେଜୟ ପାତ୍ର ଘରକୁ ଫେରୁଥିବା ବେଳେ ଲଙ୍ଗଳେଶ୍ୱର ଠାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏବେ ଚିକିତ୍ସାଧୀନ ଅଛନ୍ତି । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ ଚେତା ଶୂନ୍ୟ ହୋଇ ପଡିଛନ୍ତି । ତାଙ୍କ ଅପରେସନ ଓ ଚିକିତ୍ସା ପାଇଁ ୨ଲକ୍ଷରୁ ଅଧିକ ଟଙ୍କା ଲାଗିପାରେ ବୋଲି ଡାକ୍ତର କହିଥିବା ଜଣାପଡିଛି । ତେବେ ଜନ୍ମେଜୟ ଜଣେ ଟ୍ରାକ୍ଟର ଡ୍ରାଇଭର । ତାଙ୍କ ରୋଜଗାରରେ ପରିବାର ଚଳିଥାଏ। ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ବୋହୂର ମୃତ୍ୟୁ ଓ ରୋଜଗାରିଆ ପୁଅର ସଙ୍ଗୀନ ଅବସ୍ଥା ତା ସାଙ୍ଗକୁ ଅଢେଇ ବର୍ଷର ନାତି ବାପା ମାଆକୁ ନପାଇ ରାହା ଧରି କାନ୍ଦୁଛି। ଏସବୁ ଦୃଶ୍ୟ ଦେଖି ବୁଢା ବାପା ମାଆ ମଧ୍ୟ ଘଡି ଘଡି ଚେତା ଶୂନ୍ୟ ହୋଇ ଯାଉଛନ୍ତି। ଏହି ଘଟଣାକୁ ନେଇ ଚୌମୁଖ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ତେବେ ବୋହୂ ସୋନାଲି ସହ କେହି ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ପୋତି ଦେଇଥିବା ତାଙ୍କ ପରିବାର ଲେକେ ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଅଭିଯୋଗକୁ ଭିତ୍ତି କରି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଗୋଟିଏ ପରିବାରରେ ଦିନକରେ ଦୁଇ ଦୁଇଟି ଅଘଟଣ ଘଟିଥିବା ଦେଖି ତଦନ୍ତ କରି ମହିଳାଙ୍କ ହତ୍ୟାକାରୀ ବିରୁଦ୍ଧରେ ଶକ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ସମ୍ପର୍କୀୟ ଓ ଗାଁ ଲୋକଙ୍କ ସମେତ ସ୍ଥାନୀୟ ସରପଞ୍ଚ ମଧ୍ୟ ଦାବି କରିଛନ୍ତି ।