(ରିିପୋର୍ଟସ ଟୁଡ଼େ): ଡଲାର ତୁଳନାରେ ଟଙ୍କା ସୁଦୃଢ଼ ହେଉଥିବାରୁ ଏବେ ସୁନା ଆମଦାନି ପାଇଁ କମ୍ ଟଙ୍କା ଗଣିବାକୁ ପଡ଼ୁଛି। ଦୁଇ ସପ୍ତାହ ପୂର୍ବରୁ ଆମଦାନୀକାରୀମାନେ ଗୋଟିଏ ଡଲାର କିଣିବା ପାଇଁ ୭୪ ଟଙ୍କା ୪୮ ପଇସା ଗଣୁଥିଲେ। ଏବେ ସେହି ଗୋଟିଏ ଡଲାର କିଣିବା ପାଇଁ ସେମାନେ ୬୯ ଟଙ୍କା ୫୮ ପଇସା ଗଣୁଛନ୍ତି। ଏହାର ପ୍ରଭାବରେ ଚାରି ଦିନ ଭିତରେ ସୁନା ମୂଲ୍ୟ ୪୦୦ ଟଙ୍କାରୁ ଅଧିକ କମିଗଲାଣି। ଗତ ଶନିବାର ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୩୧ ହଜାର ୪୬୦ ଟଙ୍କାକୁ ହ୍ରାସ ପାଇଛି। ରୁପା ମୂଲ୍ୟ ମଧ୍ୟ ୫୧୫ ଟଙ୍କା ହ୍ରାସ ଘଟି ୩୬,୫୬୦ ଟଙ୍କା ହୋଇଛି। ସୁନା ଦର କମିବାର ଦ୍ବିତୀୟ ବଡ଼ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ମଧ୍ୟ ଏହାର ଦାମ୍ କମୁଛି। ଦୁଇ ସପ୍ତାହ ପୁର୍ବେ ଏକ ଆଉନ୍ସ ସୁନା କିଣିବା ପାଇଁ ୧୨୩୦ ଡଲାର ଗଣିବାକୁ ପଡ଼ୁଥିଲା। ଏବେ ସେହି ସମାନ ପରିମାଣର ସୁନା କିଣିବାକୁ ୧୫ ଡଲାର କମ୍ ଅର୍ଥାତ ୧୨୧୦ ଡଲାର ଗଣିବାକୁ ପଡ଼ୁଛି। ବିଶ୍ବର ଅନେକ ଦେଶରେ ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣ ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଥିପାଇଁ ନିବେଶକମାନେ ଆଉ ସୁନା ପ୍ରତି ଧ୍ୟାନ ଦେଉନାହାନ୍ତି। ନିବେଶକମାନଙ୍କ ମଧ୍ୟରେ ସୁନାର ଚାହିଦା ହ୍ରାସ ପାଇଥିବାରୁ ଏହାର ଦର କମିବାରେ ଲାଗିଛି। ସୁନା ଗହଣା କିଣିବାକୁ ଯୋଜନା ରଖିଥିବା ଲୋକମାନେ ଏହି ଖବରକୁ ନେଇ ନିଶ୍ଚିତ ଖୁସି ହେବେ। ଗହଣା ଦୋକାନଗୁଡ଼ିକରେ ମଧ୍ୟ ସୁନା ଦର କମିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।