ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଥିବାବେଳେ, ଏହି ମାମଲାରେ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି । ଏହାରି ଭିତରେ ତାଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ୱାମୀଙ୍କ ଏକ ବୟାନ ଚାରିଆଡେ ହଇଚଇ ସୃଷ୍ଟି କରିଛି । ଗୋସ୍ଵାମୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ମହୋତ୍ସବ ଆୟୋଜକ ଶ୍ୟାମକାନୁ ମହାନ୍ତା ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଏବଂ ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଷଡ଼ଯନ୍ତ୍ର କରିଥିଲେ।
ଶେଖର ଜ୍ୟୋତି ଗୋସ୍ୱାମୀ ତଦନ୍ତକାରୀଙ୍କୁ କହିଛନ୍ତି ଯେ ସିଙ୍ଗାପୁରରେ ଜୁବୀନଙ୍କ ମୃତ୍ୟୁ ପୂର୍ବରୁ କିଛି ଘଣ୍ଟା ମଧ୍ୟରେ ଶର୍ମାଙ୍କ ଆଚରଣ ସନ୍ଦେହଜନକ ଥିଲା। ଏଫଆଇଆରରେ ଅଭିଯୁକ୍ତ ଶର୍ମାଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା ଏବଂ ଅଣ-ଇଚ୍ଛାକୃତ ହତ୍ୟା ଭଳି ଗମ୍ଭୀର ଅଭିଯୋଗ ରହିଛି। ସେପଟେ ଆସାମ ସରକାର ଜୁବୀନ ଗର୍ଗଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗଠନ କରିଛନ୍ତି ଜୁଡିସିଆଲ କମିଶନ । ଏହି କମିଶନ ମୃତ୍ୟୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବ ଏବଂ ଜୁବୀନ ଗର୍ଗଙ୍କ ମୃତ୍ୟୁର କାରଣ ଓ ପରିସ୍ଥିତି ବିଷୟରେ ଅନୁସନ୍ଧାନ କରିବ।
ତେବେ ଗତ ସେପ୍ଟେମ୍ବର ୧୯ ତାରିଖରେ ସ୍କୁବା ଡ୍ରାଇଭିଂ କରୁଥିବା ବେଳେ ଜୁବିନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ସିଙ୍ଗାପୁରରେ ପୋଷ୍ଟମର୍ଟମ୍ କରାଯାଇଥିଲା, ଯେଉଁଥିରେ ପାଣିରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ତାଙ୍କ ସହଯୋଗୀ ଶେଖର ଗୋସ୍ୱାମୀଙ୍କ ଉପରେ ଆଙ୍ଗୁଠି ଉଠିଥିଲା । ପୋଲିସରେ ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ ଦାଖଲ କରିଥିଲା । ଏପରିକି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ସମ୍ପର୍କରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।