ନବୀନଙ୍କ ଜିରୋ ଟଲରାନ୍ସ ନୀତି: ବିଶୃଙ୍ଖଳିତ ମନ୍ତ୍ରୀଙ୍କ ହେଲା ମସ୍ତକ ଛେଦନ

ଭୁବନେଶ୍ୱର: ଜଣେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀର ପ୍ରତୀକ କୁହାଯାଉଥିବା ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ପଶାଖେଳ ବେଶ ଚମକ୍ରାର । ବିଜୁ ଜନତା ଦଳ (ବିଜେଡି) ଦଳରେ ଅନ୍ୟାୟ, ଦୁର୍ନୀତି ଓ ଅପରାଧର କୌଣସି ଚିହ୍ନ ରହିବ ନାହିଁ । ସିଏ ମନ୍ତ୍ରୀ, ବିଧାୟକ ବା ସରକାରୀ କର୍ମଚାରୀ ହୁଅନ୍ତୁ, କେହି ନବୀନଙ୍କ ଆଗରେ ଚିଷ୍ଠି ରହିପାରିବେ ନାହିଁ । ତେବେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିର ଝଲକ ଦେଖିବାକୁ ମିଳିଛି ଚଳିତ ନୂଆ ମନ୍ତ୍ରୀମଣ୍ଡଳରେ । ପୂର୍ବ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଡ. ଅରୁଣ କୁମାର ସାହୁ, ପ୍ରତାପ ଜେନା, ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ରୋଶର ଶୀକାର ହୋଇଥିବା ସ୍ପଷ୍ଟ ହୋଇଛି । ଗତ ୩ବର୍ଷ ମଧ୍ୟରେ ନବୀନ ଅନ୍ୟତମ ଘନିଷ୍ଠ ସହଯୋଗୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଅନିୟମିତତା ଓ ଦୁର୍ନୀତି କାରଣ ଯୋଗୁଁ ଦଣ୍ଡିତ କରିବାକୁ ପଛାଇ ନାହାନ୍ତି । ଏହି ୪ଜଣ ମନ୍ତ୍ରୀ କୌଣସି ନା କୌଣସି କାରଣରୁ ସମାଲୋଚନାର ଶରବ୍ୟ ହେବା ପରେ ବିଜୁ ଜନତା ଦଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀରେ ଆଞ୍ଚ ଆଣିବାର କାରଣ ହୋଇଛି ।

ଏୟାରଫୋର୍ସର ପୂର୍ବତନ ପାଇଲଟ ତଥା ଛତିଶଗଡ଼ ସରକାରରେ କାର୍ଯ୍ୟରତ ଦିବ୍ୟଶଙ୍କର ମିଶ୍ର ପରବର୍ତ୍ତୀ ସମୟରେ ରାଜନୀତିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିପାରିଥିଲେ । କିନ୍ତୁ ସମୟକ୍ରମେ ପ୍ରଥମ ଥର ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ହୋଇଥିବା ଶ୍ରୀ ମିଶ୍ର ଅନେକ ଗୁଡିଏ କାରଣରୁ ସମାଲୋଚନାର ଶିକାର ହୋଇଥିଲେ । କଳାହାଣ୍ଡିର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଆରୋପୀଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗରେ ସେ ସରକାରଙ୍କୁ ଅପଦସ୍ଥ ମଧ୍ୟ କରିଥିଲେ । କିନ୍ତୁ ଶ୍ରୀ ମିଶ୍ର ସମସ୍ତ ଅଭିଯୋଗ ଗୁହିକୁ ସର୍ବଦା ଖଣ୍ଡନ କରିଆସିଥିଲେ । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ମହିଳା ସଂଗଠନ ଏହି ଘଟଣା ପାଇଁ ମିଶ୍ରଙ୍କୁ ଦାୟୀ କରିଛନ୍ତି ଏବଂ ତାଙ୍କ ବିରୋଧରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଥିଲେ ।

ପୂର୍ବତନ କୃଷି ଓ କୃଷକ ସଶକ୍ତିକରଣ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ କେତୋଟି ଘଟଣାରେ ରାଜ୍ୟ ସରକାରଙ୍କୁ ବଦନାମ କରାଇଛନ୍ତି । ନୟାଗଡର ବହୁ ଚର୍ଚ୍ଚିତ ବାଳିକା ଅପହରଣ ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହୋଇଥିଲା । ସେ ପୋଲିସ ଉପରେ ଚାପ ପ୍ରୟୋଗ କରି ଏହି ଘଟଣାର ମୁଖ୍ୟ ଅପରାଧୀକୁ ଘଣ୍ଟ ଘୋଡାଇବା ପାଇଁ ପ୍ରଚେଷ୍ଟା କରିଥିବା ଆଲୋଚନା ହୋଇ ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଶ୍ରୀ ସାହୁ ୨୦୧୫ ନବକଳେବର ସମୟରେ ମଧ୍ୟ ଦାରୁ ସଂଗ୍ରହ ସମୟରେ ଦଇଦାପତି ମାନଙ୍କ ସହିତ ରହିବା ଘଟଣା ରାଜ୍ୟରେ ଲୋକେ ପସନ୍ଦ କରିନଥିଲେ । କିନ୍ତୁ ସେ ସମୟରେ କୌଣସି ମତେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ରୋଷରୁ ବର୍ତ୍ତି ଯାଇଥିଲେ ।

ପ୍ରାୟ ଦେଢ଼ ବର୍ଷ ତଳେ ମାହଙ୍ଗାରେ ଦୁଇ ପୂର୍ବତନ ବିଜେପି ନେତାଙ୍କ ହତ୍ୟା ଘଟଣାରେ ପୂର୍ବତନ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଆଲୋଚନାର ପରିସରକୁ ଆସି ଯଥେଷ୍ଟ ଆଲୋଡନ ସୃଷ୍ଟି କରିଥିଲା । ତେବେ ଶ୍ରୀ ଜେନା ଏସବୁକୁ ଦୃଢ଼ ଭାବେ ଅସ୍ୱୀକାର କରିଥିଲେ ମଧ୍ୟ ସରକାରଙ୍କ ଭାବମୂର୍ତ୍ତୀ ଉପରେ ଏହାର ପ୍ରଭାବ ପଡିଥିଲା ।ସେହିପରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜନୈକ ଯୁବ ଜଙ୍ଗଲ ବିଭାଗ ଅଧିକାରୀଙ୍କ କଥିତ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ବରିଷ୍ଠ ଅଧିକାରୀଙ୍କୁ ଘଣ୍ଟ ଘୋଡାଇବାକୁ ପ୍ରଚେଷ୍ଟା କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଆରୁଖ ସେ ସମୟରେ କୌଣସି ପ୍ରକାରେ ବଞ୍ଚି ଯାଇଥିଲେ ।

ତେବେ ଭୁବନେଶ୍ୱରର ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଇସ୍ତଫା ଦେଇଥିବା ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ପୁନର୍ବାର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ଦର୍ଶାଏ ଯେ, ସେ ସେହି ଘଟଣା ପାଇଁ ଦାୟୀ ନଥିଲେ । ଏହାବାଦ ମୁଖ୍ୟମନ୍ତ୍ରୀଙ୍କୁ ନିଜର କାର୍ଯ୍ୟ ପ୍ରଣାଳୀର ଉଦାହରଣ ଦେଇ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଦଳର ଭାବମୂର୍ତ୍ତି ବଜାୟ ରଖିବା ପାଇଁ ନବୀନ ପଟ୍ଟନାୟକ କଠୋର ପଦକ୍ଷେପ ନେବା ପାଇଁ କେବେ ପଶ୍ଚାତପଦ ହୋଇନାହାନ୍ତି । ଚିଟଫଣ୍ଡ ମାମଲାରେ ସଂଶ୍ଲିଷ୍ଟ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀଙ୍କୁ ୨୦୧୯ ନିର୍ବାଚନରେ ଟିକେଟ ନଦେବା ଏହାର ପରିଚାୟକ ।

ସୁରଜିତ ଧଳ, ଭୁବନେଶ୍ୱର