ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ

ପୁରୀ:- ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଏତେ ଚେକିଂ ସତ୍ତ୍ୱେ ମନ୍ଦିର ଭିତରକୁ କ୍ୟାମେରା ନେଇ ପଶିଗଲେ ଯୁବକ । ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ । ଚଷମାରେ ହିଡେନ୍‌ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଯୁବକ । ବେହରଣ ଦ୍ୱାର ନିକଟରେ ଯୁବକଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକ କରି ତଦନ୍ତ କରିଥିଲେ । ଯୁବକ ଜଣଙ୍କ ନିଜ ଚଷମାରେ ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲେ । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଓ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା । ବେହରଣ ଦ୍ଵାର ନିକଟରେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ କରି ପୋଲିସ ତାଙ୍କୁ ଧରି ସିଂହଦ୍ୱାର ଥାନାର କଣ୍ଟ୍ରଲ ରୁମରେ ଜିମା ଦେଇଛନ୍ତି । ଯୁବକ ଜଣକ ପୁରୀ ଗଜପତି ନଗରର ଅଭୀଷିତ କର ବୋଲି ସୂଚନା ମିଳିଛି ।

ତେବେ ପ୍ରଶ୍ନ ଉଠୁଛି ଏହି ହିଡେନ୍ କ୍ୟାମେରାକୁ କିପରି ଯୁବକ ଜଣକ ଏତେ ଚତୁରତାର ସହ ଶ୍ରୀମନ୍ଦିର ଭିତରକୁ ନେଇ ଫଟୋ ଓ ଭିଡ଼ିଓ ଉତ୍ତୋଳନ କଲେ ଆଉ ଯୁବକ ଜଣକ ଏତେ ଚତୁରତାର ସହ କାମ କରିଥିଲେ କି ଯେପରି ମନେ ହେଉଥିଲା ସେ କେଉଁଠୁ ତାଲିମ ନେଇ ଏସବୁ କରିଛନ୍ତି । ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇଲେ ସେନେଇ ପଚରା ଉଚରା ସହ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଏହି ଖବର ପ୍ରସାରିତ ହେବା ପରେ ଜଗନ୍ନାଥପ୍ରେମୀ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।