ଜିମରେ ବ୍ୟାୟାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଜିମରେ ବ୍ୟାୟାମ କରୁଥିବା ବେଳେ ଗଲା ଜୀବନ। ଦିଲ୍ଲୀରେ ରହୁଥିବା ଜଣେ ଯୁବକ ଜିମର ଟ୍ରେଡମିଲ ଉପରେ ବସିଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ହୃଦୟ ବିଦାରକ ଘଟଣା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି । ମୃତ ବ୍ୟକ୍ତିଙ୍କ ବୟସ ୨୪ ବର୍ଷ ଓ ସେ ଜଣେ ଇଞ୍ଜିନିୟର ଥିଲେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଜିମ୍ ସଞ୍ଚାଳକଙ୍କ ବିରୋଧରେ ଏତଲା ରୁଜୁ କରିଛି। ମୃତ ବ୍ୟକ୍ତିଙ୍କ ନାମ ସକ୍ଷମ ପୃଥ୍ବୀ ବୋଲି ଚିହ୍ନଟ କରାଯାଇଛି।

ପୁଲିସର ସୂଚନା ମୁତାବକ, ରୋହିଣୀ ସେକ୍ଟର ୧୯ର ବାସିନ୍ଦା ସକ୍ଷମ ପୃଥ୍ବୀ ସେହି ଅଞ୍ଚଳରେ ଥିବା ଜିମପ୍ଲେକ୍ସ ଫିଟନେସ୍ ଜୋନକୁ ପ୍ରତିଦିନ ବ୍ୟାୟାମ କରିବାକୁ ଯାଉଥିଲେ। ଗୁରୁଗ୍ରାମର ଏକ କମ୍ପାନିରେ ସେ ଇଞ୍ଜିନିୟର ଥିବାରୁ ତାଙ୍କୁ ରୋହିଣୀରେ ରହିବାକୁ ପଡ଼ୁଥିଲା। ମଙ୍ଗଳବାର ସକାଳ ପ୍ରାୟ ୭.୩୦ ସମୟରେ ସକ୍ଷମ ଟ୍ରେଡମିଲରେ ଦୌଡ଼ିବା ପରେ ବିଶ୍ରାମ କରିବା ପାଇଁ ୨ଟି ଟ୍ରେଡମିଲ ମଝିରେ ଯାଇ ବସିଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ। ଏହା ଦେଖି ବ୍ୟାୟାମ କରୁଥିବା ଅନ୍ୟ ଲୋକମାନେ ଟ୍ରେଡମିଲର ସୁଇଚ୍ ବନ୍ଦ କରି ତାଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସକ୍ଷମ ଜଣେ ଦକ୍ଷ ଇଞ୍ଜିନିୟର ଥିଲେ ଏବଂ ସେ ତାଙ୍କ ପିତାମାତାଙ୍କ ଏକମାତ୍ର ପୁତ୍ର ଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।